ଜୁନ୍ ୧ରୁ ଦୁଇଦିନ ଧରି ରାଜ୍ୟ କଂଗ୍ରେସର ‘ନବସଂକଳ୍ପ ଶିବିର’

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୁନ୍ ୧ରୁ ଦୁଇଦିନ ଧରି ରାଜ୍ୟ କଂଗ୍ରେସର ‘ନବସଂକଳ୍ପ ଶିବିର’ । ତେବେ ନବନିଯୁକ୍ତ ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହେଉଥିବା ବେଳେ ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି କରିବା ଲାଗି ରଣନୀତି ପ୍ରସ୍ତୁତ ହେବ। ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଉଦୟପୁରଠାରେ ଅନୁଷ୍ଠିତ ହୋଇଥିବା ନବସଂକଳ୍ପ ଶିବିରର ନିଷ୍ପତ୍ତି ଅନୁଯାୟୀ ଏହି ଦୁଇଦିନିଆ ଶିବିର ଅନୁଷ୍ଠିତ ହେଉଛି। କାର‌୍ୟ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର, ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ଜି.ରୁଦ୍ର ରାଜୁ ଓ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗାଦେବାର କାର‌୍ୟ୍ୟକ୍ରମ ରହିଛି। ସେପଟେ ଜୁନ୍ ୧ତାରିଖରେ ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟର୍ସ ସଭାଗୃହରେ ଅନୁଷ୍ଠିତ ହେବ। ବୈଠକରେ କଂଗ୍ରେସର ସମସ୍ତ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ପୂର୍ବତନ ପିସିସି ସଭାପତି, ୨୦୧୯ ସାଧାରଣ ନିର୍ବାଚନର ପ୍ରାର୍ଥୀ, ଏଆଇସିସି କର୍ମକର୍ତା, ପୂର୍ବତନ କର୍ମକର୍ତା, ଜିଲ୍ଲା କଂଗ୍ରେସ ସଭାପତି, ରାଜ୍ୟ ସାମ୍ମୁଖ୍ୟ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟମାନେ ଯୋଗଦେବେ।

୨ତାରିଖରେ ପୂର୍ବତନ ପିସିସି ସଭାପତି, ଏଆଇସିସି ସଂପାଦକ, ଜିଲ୍ଲା କଂଗ୍ରେସ ସଭାପତି, ବ୍ଲକ୍ ଓ ନଗର କଂଗ୍ରେସ ସଭାପତିମାନେ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି। ଅନ୍ୟପଟେ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ଏଆଇସିସି ନିର୍ଦେଶକ୍ରମେ ଏହି ଶିବିରର ଆୟୋଜନ କରାଯାଉଛି। ପରବର୍ତୀ ସମୟ‌ରେ ଜିଲ୍ଲାସ୍ତରରେ ଏହି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ। ରାଜ୍ୟରେ କଂଗ୍ରେସର ସଂଗଠନକୁ କିଭଳି ସୁଦୃଢ଼ କରାଯିବ ତାହା ସଂପର୍କରେ ନବସଂକଳ୍ପ ଶିବିରରେ ଆଲୋଚନା ହେବ। ଏହାସହ ସାମାଜିକ ନ୍ୟାୟ, ଅର୍ଥନୀତି ଭଳି ଅନ୍ୟ ପ୍ରସଙ୍ଗ ମଧ୍ୟରେ ଶିବିରର ଆଲୋଚନାରେ ସାମିଲ କରାଯିବ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts