ଏହା ପୂର୍ବରୁ ଗାୟକଙ୍କ ମୃତ୍ୟୁରେ କୋଲକାତା ପୁଲିସ ମଧ୍ୟ ଅପ୍ରାକୃତିକ ମୃତ୍ୟୁ ନେଇ ମାମଲା ରୁଜୁ କରିଛି। ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଥିବା ସୂଚନା ମିଳିଛି। ତେବେ ପ୍ରାରମ୍ଭିକ ମେଡିକାଲ ରିପୋର୍ଟରେ କେବଳ ଅପ୍ରାକୃତିକ ମୃତ୍ୟୁ ଲେଖାଯାଇଥିବା ବେଳେ ଅନ୍ୟ କୌଣସି କାରଣ ଦର୍ଶାଯାଇ ନାହିଁ। ୭୨ ଘଣ୍ଟା ପରେ ସମ୍ପୂର୍ଣ୍ଣ ଅଟୋସ୍ପି ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି। ଏପଟେ ବଲିଉଡ୍ର ଦିମ୍ବଗତ ଅଭିନେତା ଓମ ପୁରୀଙ୍କ ପୂର୍ବତନ ପତ୍ନୀ ନନ୍ଦିତା ପୁରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କୋଲକାତାରେ ଆୟୋଜିତ ମ୍ୟୁଜିକ୍ କନସର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନନ୍ଦିତା। କୋଲକାତା କେକେଙ୍କୁ ମାରିଦେଇଛି ବୋଲି ସେ ଫେସ୍ବୁକ୍ରେ ପୋଷ୍ଟ କରିଛନ୍ତି।
ସେ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗକୁ ଲଜ୍ଜା। କୋଲକାତା କେକେଙ୍କୁ ମାରି ଦେଇଛି। ନଜରୁଲ ମଞ୍ଚ ପକ୍ଷରୁ ଆୟୋଜନରେ ଠିକ୍ ଭାବେ ବ୍ୟବସ୍ଥା କରାଯାଇନଥିଲା। ଯେଉଁ ଅଡିଟୋରିୟମର କ୍ଷମତା ୨୫୦୦ ଥିଲା, ସେଠାରେ ସାତ ହଜାର ଲୋକଙ୍କ ଭିଡ଼ ଜମିଥିଲା। ଏସି ଚାଲୁ ନଥିଲା। କେକେ ଲଗାତର ଆୟୋଜକଙ୍କୁ ଏସିର ତାପମାତ୍ରା କମ୍ କରିବା ଏବଂ କିଛି ହେଲୋଜିନ ଲାଇଟ୍ ବନ୍ଦ କରିବାକୁ ବାରମ୍ବାର କହୁଥିଲେ। ହେଲେ ତାଙ୍କ କଥାକୁ କେହି ଶୁଣିନଥିଲେ। ଶେଷରେ କେକେ ଅଣନିଃଶ୍ଵାସୀ ହୋଇ ପଡିଥିଲେ ଏବଂ ନିଜକୁ ଅସୁସ୍ଥ ଅନୁଭବ କରିଥିଲେ। ସେଠାରେ କୌଣସି ପ୍ରତିଷେଧମୂଳକ ବ୍ୟବସ୍ଥା ନଥିଲା। ଏହି ମାମଲାର ସିବିଆଇ ତଦନ୍ତ ହେବା ଦରକାର ଏବଂ ବଲିଉଡ ପଶ୍ଚିମବଙ୍ଗରେ ନିଜର ଲାଇଭ କନସର୍ଟ କାର୍ୟ୍ୟକ୍ରମ ଉପରେ କଟକଣା ଲଗାଇବା ଉଚିତ୍ ବୋଲି ନନ୍ଦିତା ପୁରୀ କହିଛନ୍ତି।
