ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଣ୍ଠଶିଳ୍ପୀ କେକେଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ । ସାଂସଦ ସୌମିତ୍ର ଖାନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଲେଖିଥିବା ଚିଠିରେ ସାଂସଦ ସୌମିତ୍ର ଖାନ ଦର୍ଶାଇଛନ୍ତି ଯେ ଯେଉଁ ଅଡିଟୋରିୟମରେ ଗାୟକ କେକେ କାର୍ୟ୍ୟକ୍ରମ ପରିବେଷଣ କରୁଥିଲେ, ତାହାର ଦର୍ଶକ ଧାରଣ କ୍ଷମତା ୩,୦୦୦ ରହିଥିଲା। ହେଲେ, ଏହାକୁ ଅଣଦେଖା କରାଯାଇ ଅଡିଟୋରିୟମ୍ ଭିତରେ ୭,୦୦୦ ଦର୍ଶକଙ୍କୁ ଅନୁମତି ଦେଇଥିଲା କିଏ? ପୁଣି, ସେଇ ଅଡିଟୋରିୟମ୍ରେ ଏସି କାର୍ୟ୍ୟ କରୁ ନଥିବା ବେଳେ କାହିଁକି ସେଠାରେ ଶୋ’ର ଆୟୋଜନ କରା ଯାଇଥିଲା।
ଖାଲି ସେତିକି ନୁହେଁ ଅସୁସ୍ଥ ହୋଇ ପଡ଼ିଥିବା ଗାୟକ କେକେଙ୍କୁ ଯେତେବେଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରା ଯାଉଥିଲା ସେତେବେଳେ ଟିଏମସିର ନେତାମାନେ ସେଠାରେ ଅଯଥା ଭିଡ଼ ଜମାଇ କରୁଥିଲେ କ’ଣ? କେକେ କନସର୍ଟରେ ଅସୁସ୍ଥ ଅନୁଭବ କରୁଛନ୍ତି ବୋଲି କହିବା ପରେ ଏବଂ ଝାଳରେ ଗାଧୋଇ ହାତର ଅଙ୍ଗଭଙ୍ଗୀ ସାହାଯ୍ୟରେ ଏୟାର କଣ୍ଡିସନର ବାବଦରେ ଅଭିଯୋଗ କଲାପରେ ବି ଆୟୋଜକମାନେ କାହିଁକି କାର୍ୟ୍ୟକ୍ରମକୁ ବନ୍ଦ କରି ନଥିଲେ? ତେଣୁ, ଏସବୁ ଘଟଣାର ଏକ ନିରପେକ୍ଷ ତଦନ୍ତ ହେବାର ଆବଶ୍ୟକା ରହିଛି। ଏହାକୁ ଦୃଷ୍ଟିରେ ରଖି ଗାୟକ କେକେଙ୍କ ମୃତ୍ୟୁର ଏକ ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଲେଖିଥିବା ଚିଠିରେ ଅନୁରୋଧ କରିଛନ୍ତି ବିଜେପି ସାଂସଦ।





