ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଟ୍ରେନରେ ନିଆଁ ଲଗାଇଦେଲେ ପ୍ରତିବାଦକାରୀ । ତେବେ ବିହାରରେ ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ଭଭୁଆ ରୋଡ୍ ରେଳ ଷ୍ଟେସନ୍ରେ ଇଣ୍ଟର୍ସିଟି ଏକ୍ସପ୍ରେସ୍ର ଝରକା କାଚକୁ ପିଟି ଭାଙ୍ଗି ପକାଇବା ସହ ଗୋଟାଏ ବଗିରେ ନିଆଁ ଲଗାଇ ଦେଇଥିବାର ସୂଚନା ମିଳିଛି । ଏହା ସହ ଇଣ୍ଡିଆନ୍ ଆର୍ମି ଲଭର୍ସ’ ଲେଖାଥିବା ବ୍ୟାନର୍ ଧରି ସେମାନେ ନୂଆ ନିଯୁକ୍ତି ଯୋଜନାକୁ ପ୍ରତ୍ୟାଖ୍ୟାନ କରିବା ଲାଗି ସ୍ଲୋଗାନ୍ ଦେଉଥିବାର ଦେଖିବାକୁ ମିଳିଛି । ସେପଟେ ଆରା ରେଳବାଇ ଷ୍ଟେସନ୍ରେ ପୁଲିସ ଉପରକୁ ଟେକାପଥର ଫିଙ୍ଗିବାରୁ ବିପୁଳ ସଂଖ୍ୟକ ପ୍ରତିବାଦକାରୀମାନଙ୍କୁ ଘଉଡ଼ାଇବା ନିମନ୍ତେ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା।
ରେଳ ଧାରଣା ଉପରେ ଆସବାବ୍ପତ୍ର ପକାଇ ପ୍ରତିବାଦକାରୀମାନେ ଲଗାଇ ଥିବା ନିଆଁ ଲିଭାଇବା ଲାଗି ରେଳବାଇ କର୍ମଚାରୀମାନେ ‘ଫାୟାର୍ ଏକ୍ଷ୍ଟିଙ୍ଗୁଇସର୍’ ବ୍ୟବହାର କରୁଥିବା ଦୃଶ୍ୟ ଭିଡିଓରେ ଦେଖାଯାଉଛି। ସେହିପରି, ଜେହାନାବାଦ୍ରେ ଛାତ୍ରମାନଙ୍କ ଟେକାପଥର ମାଡ଼ରେ କେତେକ ସାଧାରଣ ଜନତା ଓ ପୁଲିସ ଆହତ ହୋଇଛନ୍ତି। ରେଳ ରାସ୍ତା ଫାଙ୍କା କରିବା ଲାଗି ପୁଲିସ ପ୍ରତିବାଦକାରୀମାନଙ୍କୁ ତଡ଼ି ଦେବାକୁ ଉଦ୍ୟମ କରୁଥିବା ବେଳେ ଗଣ୍ଡଗୋଳ ଘଟିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।
