ଭୁବନେଶ୍ୱର : ଓଡ଼ିଶା ଛୁଇଁଛି ମୌସୁମୀ । ମୌସୁମୀ ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । ତେବେ ଆଗାମୀ 5 ଦିନ ଯାଏଁ ମଧ୍ୟ ବର୍ଷା ଜାରି ରହିବ । ପଶ୍ଚିମ ଓଡ଼ିଶାର କିଛି ଜିଲା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲାରେ ଆଜି ବର୍ଷା ସମ୍ଭାବନା ରହିଛି।
ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏ ନେଇ ୧୩ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି।
ଏହି ଜିଲା ଗୁଡ଼ିକିହେଲା- କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ନବରଙ୍ଗପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜ। ଏହି ଜିଲାଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ ।
ସେହିପରି ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ । ଫଳରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବା ସହ ଉତ୍ତର ଓଡ଼ିଶାରେ ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ରାଜ୍ୟର ବିଭିନ୍ନ ଜିଲ୍ଲାର କିଛି ସ୍ଥାନରେ ମଙ୍ଗଳବାର ବର୍ଷା ହୋଇଛି । ସନ୍ଧ୍ୟା ସାଢ଼େ ୮ଟା ସୁଦ୍ଧା ବୌଦ୍ଧରେ ୬୩ ମିଲିମିଟର,ରାୟଗଡାରେ ୩୦.୮, ନବରଙ୍ଗପୁରରେ ୩୦.୨, କଳାହାଣ୍ଡିରେ ୨୯.୫, କନ୍ଧମାଳରେ ୨୫.୬, ଗଞ୍ଜାମରେ ୨୫.୪, ମାଲକାନଗିରିରେ ୨୪.୯, ନୟାଗଡ଼ରେ ୨୩.୧, ଖୋର୍ଦ୍ଧାରେ ୨୦.୧, ସୋନପୁରରେ ୨୯.୨, ଜଗତସିଂହପୁରରେ ୧୩.୪, ଢେଙ୍କାନାଳରେ ୩୨.୮ ଓ ଯାଜପୁରରେ ୨୮.୯ ମିଲିମିଟର ବର୍ଷା ହୋଇଥିବା ଆଇଏମ୍ଡି ତଥ୍ୟ ଦେଇଛି ।





