ଭୁବନେଶ୍ୱର : ରାଜ୍ୟକୁ ପୁଣି ଫେରିଛି କରୋନା । ପୁଣିଥରେ କରୋନା ର ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ବଢ଼ୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି କରୋନା କଟକଣା କଡାକଡି ହୋଇଛି ।
ଏହାରି ମଧ୍ୟରେ ସ୍କୁଲକୁ ଫେରିବ କରୋନା କଟକଣା। ରାଜଧାନୀର ସମସ୍ତ ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଥଣ୍ଡା, ଜ୍ବର, କାଶ ହେଉଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ। ପିଲାମାନେ ଯେପରି କ୍ୟାମ୍ପସରେ କଟକଣାକୁ ଠିକ୍ ଭାବେ ପାଳନ କରନ୍ତି ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ତାହାକୁ ସୁନିଶ୍ଚିତ କରାଇବେ।
ଖବର ଅନୁଯାୟୀ, ବିନା ମାସ୍କରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ କ୍ୟାମ୍ପସରେ ଏକାଠି ହେବାକୁ ଅନୁମତି ମିଳିବ ନାହିଁ। ପ୍ରବେଶ ପଥରେ ହାତ ଧୋଇବା ପାଇଁ ସାନିଟାଇଜର୍ ବ୍ୟବସ୍ଥା କରିବାକୁ ସ୍କୁଲଗୁଡ଼ିକୁ କୁହାଯିବ। ଏଥିସହ ପିଲାଙ୍କ ଶତ ପ୍ରତିଶତ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଇଛି। ଆବଶ୍ୟକୀୟ ହେଲେ ସ୍କୁଲ କ୍ୟାମ୍ପସରେ ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରିବାକୁ ଭୁବନେଶ୍ବର ମହାନଗର ନିଗମ ଅଧିକାରୀ, ଗଣଶିକ୍ଷା ବିଭାଗ ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ବିଏମ୍ ସି କାର୍ଯ୍ୟାଳୟରେ ବସିଥିବା ବୈଠକରେ ସ୍ଥିର ହୋଇଛି। ପିଲାଙ୍କ ଟିକାକରଣ ନେଇ ସ୍କୁଲଗୁଡ଼ିକ ଆସନ୍ତା ତିନି ଦିନ ମଧ୍ୟରେ ନିର୍ଦ୍ଧାରିତ ପୋର୍ଟାଲରେ ବିଇଓଙ୍କ ମାର୍ଫତରେ ବିଏମ୍ ସି ନିକଟରେ ରିପୋର୍ଟ ଦାଖଲ କରିବେ।





