ଇନ୍ଦ୍ରଦେବଙ୍କୁ ସନ୍ତୁ‌ଷ୍ଟ କରିବା ଲାଗି କାଦୁଅ ସ୍ନାନ କଲେ ବିଜେପି ବିଧାୟକ

ମହାରାଜଗଞ୍ଜ: ଭାରତ ଏକ ପ୍ରାଚୀନ ପରମ୍ପରା ସଂସ୍କୃତି ସଂପନ୍ନ ଦେଶ ହୋଇଥିବା ବେଳେ, ଏବେ ବି ଅନେକ ସ୍ଥାନରେ ଅନେକ ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି । ଯାହାକୁ ନିଜର ପରମ୍ପରା ବୋଲି ମାନି ଆସିଛନ୍ତି ଅନେକ ସମ୍ପ୍ରଦାୟର ଲୋକ ।

ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ପ୍ରବଳ ଗରମରୁ ନିସ୍ତାର ପାଇବା ଲାଗି ଇନ୍ଦ୍ରଦେବଙ୍କୁ ସନ୍ତୁ‌ଷ୍ଟ କରାଇ ବର୍ଷା କରାଇବା ଲାଗି ମଙ୍ଗଳବାର ରାତିରେ ପିପ୍ରାଦେଓରାର ମହିଳାମାନେ ‘ବିଜେପି’ ବିଧାୟକ ଜୟମଙ୍ଗଳ କନୋଜିଆ ଏବଂ ପ‌ୌର ପରିଷଦ୍‌ର ଅଧ୍ୟକ୍ଷ କୃଷ୍ଣଗୋପାଳ ଜୟସୱାଲ୍‌ଙ୍କୁ କାଦୁଅରେ ସ୍ନାନ କରାଇଛନ୍ତି।

କାହା ଉପରେ କାଦୁଅ ଫିଙ୍ଗିଲେ କିଂବା କାହାକୁ କାଦୁଅରେ ଗାଧୋଇ ଦେଲେ ବର୍ଷାର ରାଜା ଇନ୍ଦ୍ର ସନ୍ତୁଷ୍ଟ ହୁଅନ୍ତି ବୋଲି ଉତ୍ତର ପ୍ରଦେଶର ପୂର୍ବାଞ୍ଚଳରେ ଲୋକ ବିଶ୍ବାସ ଚଳେ।

ଗୀତ ଗାଇ ଉଭୟ ନେତାଙ୍କୁ ପାଣିଆ କାଦୁଅରେ ସ୍ନାନ କରାଇ ଦେବା ପରେ ମହିଳାମ‌ାନେ କହିଲେ, ଇନ୍ଦ୍ରରାଜା ଖୁସି ହୋଇ ନଗରୀରେ ବର୍ଷା କରାଇବେ। ମୁନ୍ନୀ ଦେବୀ ନାମରେ ଜଣେ ମହିଳା ଗଣମାଧ୍ୟମକୁ କହିଛନ୍ତି, ନଗରୀର ମୁଖ୍ୟଙ୍କୁ କାଦୁଅସ୍ନାନ କରାଇଲେ ଇନ୍ଦ୍ରଦେବ ତୁଷ୍ଟ ହୁଅନ୍ତି। ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ହେଉଥିବାରୁ ଧାନଫସଲରେ ଅସୁବିଧା ହେବ। ତେଣୁ, ଆମେ ଏଭଳି କଲୁ।

ସେ ଆହୁରି ମଧ୍ୟ କହିଛନ୍ତି, ଇନ୍ଦ୍ର ଦେବଙ୍କୁ ତୁଷ୍ଟ କରିବା ଲାଗି ପିଲାମାନେ ମଧ୍ୟ କାଦୁଅରେ ପଶି ଗାଧାନ୍ତି। ଏହାକୁ ସ୍ଥାନୀୟ ଭାଷାରେ ‘କାଲ୍‌ କାଲୌତି’ କୁହାଯାଏ।

ଲୋକେ ଗରମରେ ଡହଳବିକଳ ହେଉଥିଲେ ତେଣୁ କାଦୁଅ ସ୍ନାନ କରିବା ଲାଗି ମୁଁ ରାଜି ହେଲି ବୋଲି ବିଧାୟକ ଜୟମଙ୍ଗଳ କନୋଜା କହିଛନ୍ତି। ସେ କହିଛନ୍ତି, ଏଥର ଗ୍ରୀଷ୍ମରେ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଫସଲ ବି ପାଣି ନ ପାଇଁ ମରିଯାଇଛି। ଆଗକୁ ମରୁଡ଼ି ଆସିବା ଭଳି ପରିସ୍ଥିତ ସୃଷ୍ଟି ହେବ ବୋଲି ଜଣାପଡୁଛି। ତେଣୁ, ଯୁଗ ଯୁଗର ବିଶ୍ବାସକୁ ଭିତ୍ତି କରି ଏହି ଚଳି ଆସୁଥିବା ଏହି ପ୍ରଥାରେ ଭାଗ ନେବା ପାଇଁ ଆମେ ଆଗଭର ହୋଇ ବାହାରି ପଡ଼ିଲୁ।

Related Posts