କଂଗ୍ରେସ ମୁଖପାତ୍ରଙ୍କ ଦ୍ରୌପଦୀଙ୍କ ପ୍ରତି ବିବାଦୀୟ ବୟାନ ପ୍ରସଙ୍ଗ, ଗୃହ ଆରମ୍ଭରୁ କଂଗ୍ରେସ, ବିଜେପି ମୁହାଁମୁହିଁ ସାଢେ଼ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିରୋଧୀ ଭାଜପା ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ଗୃହରେ ନାରାବାଜି କରିଥିଲେ। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ମୁଖପାତ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପି ସଦସ୍ୟମାନେ ନାରାବାଜି କରିଥିଲେ । ବିଜେପି ର ଅଭିଯୋଗ ଅନୁସାରେ କଂଗ୍ରେସ ମୁଖପାତ୍ର ଅଜୟ କୁମାର କହିଛନ୍ତି, ଦ୍ରୌପଦୀ ମୁର୍ମୁ ଭାରତର ଅତ୍ୟନ୍ତ ଭୁଲ୍‌ ବିଚାରଧାରାକୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ଆଦିବାସୀଙ୍କ ପ୍ରତୀକ ହେବା ଉଚିତ ନୁହେଁ । ମୋଦୀ ସରକାର କେବଳ ପ୍ରତୀକ ଦ୍ବାରା ଭାରତର ଲୋକଙ୍କୁ ବୋକା ବନାଉଛନ୍ତି ।ରାମନାଥ କୋବିନ୍ଦ ବର୍ତ୍ତମାନ ରାଷ୍ଟ୍ରପତି ଅଛନ୍ତି , କିନ୍ତୁ ସେ କ’ଣ କରିଛନ୍ତି । ଦେଶବ୍ୟାପୀ ଅନୁସୂଚିତ ଜାତି ଉପରେ ଅତ୍ୟାଚାର ହେଉଛି ଓ ଅନୁସୂଚିତ ଜାତି ସମ୍ପ୍ରଦାୟର ସ୍ଥିତି ଅତ୍ୟନ୍ତ ଖରାପ । ହାଥରାସ ଘଟଣା ସମୟରେ ରାଷ୍ଟ୍ରପତି ପାଟି ଖୋଲିନଥିଲେ ବୋଲି ସେ କହିଛନ୍ତି ।

ଅପରପକ୍ଷେ କଂଗ୍ରେସ ସଦସ୍ୟମାନେ ମଧ୍ୟ ଭାଜପା ସଦସ୍ୟଙ୍କୁ ବିରୋଧ କରି ନାରାବାଜି କରିଥିଲେ । ତେବେ ବିରୋଧୀଙ୍କ ନାରାବାଜି ଓ ହଟ୍ଟଗୋଳ ଯୋଗୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଦିନ ୧୧.୩୦ ଯାଏ ମୁଲତବୀ ଘୋଷଣା କରିଛନ୍ତି ।

Related Posts