ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ନାଁ ଘୋଷଣା କରାଯାଇଥିବା ବେଳେ, ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ବିଜେପି ନେତୃତ୍ବାଧୀନ NDA ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦ୍ବୀପ ଧନଖର ।

19 ତାରିଖରେ ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ତାରିଖ ଥିବାବେଳେ, ଆସନ୍ତାକାଲି (ସୋମବାର) ମଧ୍ୟାହ୍ନରେ ନାମାଙ୍କନ ଦାଖଲ କରିବେ ଧନଖର । ଏହି ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ବିଜେପି ସମେତ ଏନଡିଏ ମେଣ୍ଟର ବହୁ ବରିଷ୍ଠ ନେତା ମଧ୍ୟ ଧନଖରଙ୍କ ସହ ସାମିଲ ହେବା ନେଇ ସୂଚନା ମିଳିଛି ।

ଗତକାଲି (ଶନିବାର) ବିଳମ୍ବିତ ସଂଧ୍ୟାରେ ବିଜେପି ବୈଠକ ପରେ ଧନଖରଙ୍କୁ ଏନଡିଏ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଧନଖରଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସୂଚନାଯୋଗ୍ୟ, ଜୁଲାଇ 19ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ । ଅଗଷ୍ଟ 6 ତାରିଖରେ ଭୋଟିଂ ହେବ । ଅଗଷ୍ଟ 6 ତାରିଖରେ ଦେଶର ନୂତନ ତଥା 16ତମ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।