ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିଜ ପଦରୁ ଇସ୍ତଫା ଦେଇଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ।ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ପରେ ମଣିପୁରର ରାଜ୍ୟପାଳ ଲା. ଗଣେଶନ୍‌ଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି। ସ୍ଥାୟୀ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଲା.ଗଣେଶନ୍‌ ଉଭୟ ମଣିପୁର ଏବଂ ପଶ୍ଚିମବଙ୍ଗର ରାଜ୍ୟପାଳ ଦାୟିତ୍ବରେ ରହିବେ।

ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନରେ ‘ବିଜେପି’ ନେତୃତ୍ବାଧୀନ ‘ଏନ୍‌ଡିଏ’ର ପ୍ରାର୍ଥୀ ଭାବେ ଜଗଦୀପ ଧନଖଡ଼ଙ୍କୁ ଚୟନ କରାଯାଇଛି। ସେପଟେ ଆଜି ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ସୂଚନା ମିଳିଛି। ସେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ତାଙ୍କ ସହ ବିଜେପି ଓ ଏହାର ସହଯୋଗୀ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ରହିବେ। ଉଲ୍ଲେଖଯୋଗ୍ୟ, ୨୦୧୯ରେ ଧନଖଡ଼ ପଶ୍ଚିମବଙ୍ଗର ରାଜ୍ୟପାଳ ରୂପେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ଭାରତର ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆଗାମୀ ଅଗଷ୍ଟ ୧୦ ତାରିଖରେ ଶେଷ ହେବ। ଏହା ପୂର୍ବରୁ ଅଗଷ୍ଟ ୬ତାରିଖ ରେ ନୂତନ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।