ଆମେ ଛୋଟ ପିଲା ନୁହେଁ, ୧୩୫ କୋଟି ଲୋକ ଆମକୁ ଦେଖି ହସୁଛନ୍ତି: ସଂସଦରେ ହଙ୍ଗାମା ନେଇ କହିଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ବିଜେପି ନେତାଙ୍କର ଘରର କୌଣସି କୁକୁର ବି କ’ଣ କେବେ ଦେଶ ପାଇଁ ଶହୀଦ ହୋଇଛି? ସୋମବାର କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ ରାଜସ୍ଥାନରେ ଭଳି ଆକ୍ଷେପମୂଳକ ମନ୍ତବ୍ୟ ବିଜେପି ବିରୋଧରେ ଦେଇଥିଲେ। ଖଡଗେଙ୍କ ଏହି ବୟାନକୁ ନେଇ ମଙ୍ଗଳବାର ରାଜ୍ୟସଭା ଓ ଲୋକସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ଗୋଟିଏ ପଟେ ବିଜେପି ଖଡଙ୍ଗେଙ୍କ ସେହି ବିବାଦୀୟ ମନ୍ତବ୍ୟକୁ ନେଇ କ୍ଷମା ମାଗିବାକୁ ଦାବୀ କରିଛି, ଅନ୍ୟପକ୍ଷେ ଖଡଗେକ୍ଷମା ମାଗିବାକୁ ମନା କରିଦେଇଛନ୍ତି।

ଏହାକୁ ନେଇ ଗୃହ ଭିତରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା। ଗୃହରେ ହଙ୍ଗାମାକୁ ନେଇ ଉପ-ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯେଉଁଭଳି ଭାବରେ ହଙ୍ଗାମା ହେଉଛି, ତାହା ଭୁଲ। ସେ କହିଛନ୍ତି, ଆମେ ଛୋଟ ପିଲା ନୁହେଁ ଓ ୧୩୫ କୋଟି ଲୋକ ଆମ ଉପରେ ହସୁଛନ୍ତି। ହଙ୍ଗାମା କରି ଆମେ ବହୁତ ଖରାପ ଉଦାହରଣ ସୃଷ୍ଟି କରୁଛୁ।

ଧନକର କହିଛନ୍ତି, ସଂସଦ ବାହାରେ ଲୋକ ଆମକୁ ଦେଖି ହସୁଥିବେ। ଏହା ବହୁତ ଖରାପ କଥା ଓ ଏହାଦ୍ବାରା ସଂସଦର ଛବି ଖରାପ ହେଉଛି। ଏପରିକି ଗୃହର ଅଧ୍ୟକ୍ଷଙ୍କ କଥାକୁ ମଧ୍ୟ ଆପଣମାନେ ଅଣଦେଖା କରୁଛନ୍ତି। ଏହା ଅତି କଷ୍ଟକର ଦୃଶ୍ୟ। ୧୩୫ କୋଟି ଲୋକ ଆମ ଉପରେ ହସୁଛନ୍ତି। ସେମାନେ ଭାବୁଥି​‌ବେ ଆମେ କେଉଁ ସ୍ତରକୁ ଖସି ଯାଇଛୁ। ଏହି ସମୟରେ ଜଗଦୀପ ଧନକର ବିରୋଧୀ ସାଂସଦଙ୍କ ବ୍ୟତୀତ ଶାସକ ଦଳର ସାଂସଦଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ। ସେ କହିଥିଲେ, କୌଣସି କଥା ସଂସଦ ବାହାରେ ଉତ୍ତେଜନାର କୁହାଯାଇଥିଲେ ତା ଉପରେ ବିବାଦ ହେବା ଏହା ଭୁଲ କଥା। ଉଲ୍ଲେଖନୀୟ ଯେ, ସୋମବାର ଖଡଗେ ବିଜେପିକୁ ଟାର୍ଗେଟ କରି କହିଥିଲେ, କ’ଣ ଆପଣଙ୍କ ଘରର କୁକୁର କେବେ ଦେଶ ପାଇଁ ଶହୀଦ ହୋଇଛି। କଂଗ୍ରେସର କିନ୍ତୁ ଅନେକ ନେତା ନିଜର ବଳିଦାନ ଦେଇଛନ୍ତି। ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ଭଳି ନେତା ନିଜର ପ୍ରାଣର ଆହୁତି ଦେଇଛନ୍ତି।

Related Posts