ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଗାଦି ପରେ ଏବେ ଶିବସେନା ଦଳର ମଙ୍ଗ କାହା ପାଖକୁ ଯିବ ସେନେଇ ବିବାଦ ବଢ଼ିବାରେ ଲାଗିଛି । ଶିବସେନାର ବିଦ୍ରୋହୀ ବିଧାୟକ ଗୋଷ୍ଠୀ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ବୈଠକ କରିଥିଲେ । ଏଥିରେ ଦଳର ପୁରୁଣା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀକୁ ଭାଙ୍ଗିଦିଆଯାଇଛି। ଏଥିସହ ନୂଆ କାର୍ଯ୍ୟକାରିଣୀ ମଧ୍ୟ ଗଠନ ହୋଇଛି ।
ଏହି କାର୍ଯ୍ୟକାରିଣୀର ମୁଖ୍ୟ ହୋଇଛନ୍ତି ଏକନାଥ ସିନ୍ଦେ । ସିନ୍ଦେଙ୍କୁ ନୂଆ ନେତା ବାଛିଛନ୍ତି ବିଦ୍ରୋହୀ । କିନ୍ତୁ ସବୁଠୁ ବଡ଼ ଓ ରୋଚକର କଥା ହେଉଛି ଶିବସେନାର ମୁଖ୍ୟ ପଦ ହଟାଯାଇ ନାହିଁ । ପୂର୍ବ ଭଳି ଏହି ପଦ ଉଦ୍ଧବ ଠାକରେଙ୍କ ପାଖରେ ରହିଛି। ଅର୍ଥାତ୍ ଉଦ୍ଧବଙ୍କ ପଦରେ ସିନ୍ଦେ କୌଣସି ପରିବର୍ତ୍ତନ କରି ନାହାନ୍ତି ।
ନୂଆ କାର୍ଯ୍ୟକାରିଣୀରେ ଦୀପକ କେସରକରଙ୍କୁ ମୁଖପାତ୍ର ଭାବେ ଚୟନ କରାଯାଇଛି । ରାମଦାସ କଦମ ଓ ଆନନ୍ଦରାଓ ଅଡ଼ସୁଲ୍ଙ୍କୁ ନେତା ବଛାଯାଇଛି । ସେପଟେ ଉଦ୍ଧବ ସୋମବାର ଦଳର ସ୍ଥିତି ମଜଭୁତ ପାଇଁ ରାଜ୍ୟରେ ୧୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛନ୍ତି । ମୁମ୍ବାଇ, ପାଳଘର, ୟୱଟମାଲ, ଅମରାବତୀ ଓ ଅନ୍ୟ ଜିଲ୍ଲାରେ ଏହି କାର୍ଯ୍ୟକର୍ତ୍ତା ନିଯୁକ୍ତ ହୋଇଛନ୍ତି । ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଉଦ୍ଧବ ଗୋଷ୍ଠୀ ବରିଷ୍ଠ ନେତା ରାମଦାସ କଦମ ଓ ପୂର୍ବତନ ଆନନ୍ଦରାଓ ଅଡ଼ସୁଲ୍ଙ୍କୁ ଶିବସେନାରୁ ବହିଷ୍କାର କରିଛି ।