ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା। ଘର ଭୁଶୁଡି ପଡିବାରୁ ଚାଲିଗଲା ମାଆ ଓ ଝିଅର ଜୀବନ । ମଙ୍ଗଳବାର ସକାଳେ ଏହି ଅଘଟଣ ଘଟିଛି । ଏକ ଘର ଭୁଶୁଡ଼ି ପଡିବାରୁ ଜଣେ ମହିଳା ଏବଂ ତାଙ୍କ ୭ବର୍ଷର ଝିଅର ମୃତ୍ୟୁ ହୋଇଛି । ଏହାସହ ପରିବାରର ଅନ୍ୟ ୩ଜଣ ଆହତ ହୋଇଛନ୍ତି ।
ସୂଚନାନୁସାରେ, ନାଗପୁରରୁ ପ୍ରାୟ ୧୫୦କିମି ଦୂର ଚନ୍ଦୁର ବଜାର ନିକଟବର୍ତ୍ତୀ ଫୁବଗାଓଁ ଗ୍ରାମରେ ଏହି ଘଟଣା ଘଟିଛି । ଅମରାବତୀରେ ଗତ କିଛି ଦିନ ହେବ ଭାରି ବର୍ଷା ହେଉଛି । ଅମରାବତୀର ଜିଲ୍ଲାପାଳ ଆଶୀଷ ବିଜଓ୍ବାଲ କହିଛନ୍ତି ଯେ, ଘର ଭିତରେ ପରିବାରର ୫ଜଣ ସଦସ୍ୟ ଥିଲେ । ହଟାତ୍ ଘରଟି ଭୁଶୁଡି ପଡିଥିଲା । ସେମାନେ ଘରର ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ତେବେ ସ୍ଥାନୀୟ ଲୋକେ ପରିବାରର ୩ସଦସ୍ୟଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।
ଆହତ ହୋଇଥିବା ୩ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏକ ପ୍ରକାର ସ୍ଥିର ରହିଛି । ତେବେ ଘର ପୁରୁଣା ହୋଇଥିବା ସହ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । ତେଣୁ ପ୍ରବଳ ବର୍ଷା ହେବା କାରଣରୁ ଭୁଶୁଡ଼ି ଯାଇଥିବା ଅନୁମାନ କରାଯାଉଛି ।
