ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ମୀରାବାଇ ଚାନୁ ଆଣିଲେ ଭାରତ ପାଇଁ ପ୍ରଥମ ସ୍ଵର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଚମକିଲେ ମୀରାବାଇ ଚାନୁ । ଭାରତକୁ ମିଳିଲା ପ୍ରଥମ ସ୍ଵର୍ଣ୍ଣ ପଦକ । ମହିଳା ଭାରୋତ୍ତୋଳନ ୪୯ କିଲୋ ବର୍ଗରେ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ମୀରା । ଟୋକିଓ ଅଲିମ୍ପିକର ରୌପ୍ୟ ପଦକ ବିଜେତା ଚାନୁ ସ୍ନାଚରେ ୮୮ କିଲୋଗ୍ରାମ ଭାର ଉଠାଇ ଏହି ଉପଲବ୍ଧି ହାସଲ କରିଛନ୍ତି। ଅନ୍ୟପଟେ କ୍ଲିନ ଆଣ୍ଡ ଜର୍କରେ ୨୭ ବର୍ଷୀୟ ମୀରାବାଇ ୧୦୯ କିଲୋଗ୍ରାମ ଓଜନ ଉଠାଇଥିଲେ।

ମୀରାବାଇ ଚାନୁ ଗୋଲକୋଷ୍ଟରେ ଆୟୋଜିତ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସ୍ଵର୍ଣ୍ଣ ପଦକ ଜିତିଥିଲେ। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଚାନୁ ରୌପ୍ୟ ପଦକ ଜିତି ଦେଶକୁ ଗୌରବାନ୍ଵିତ କରିଥିଲେ। ଏବେ ବର୍ମିଂହାମରେ ଦମଦାର ପ୍ରଦର୍ଶନ କରି ଭାରୋତ୍ତୋଳନରେ ନିଜ ସଫଳତାକୁ ନୂତନ ଦିଗ ଦେଇଛନ୍ତି।

ମୀରାବାଇ ଚାନୁ କ୍ଲିନ ଆଣ୍ଡ ଜର୍କରେ ନିଜର ପ୍ରଥମ ପ୍ରୟାସରେ ୧୦୯ କିଲୋଗ୍ରାମ ଓଜନ ଉଠାଇବାରେ ସଫଳ ହୋଇଥିଲେ। ପୁଣି ଦ୍ଵିତୀୟ ପ୍ରୟାସରେ ୧୧୩ କିଲୋ ଓଜନ ଉଠାଇବାରେ ସଫଳ ହୋଇଛନ୍ତି। ତୃତୀୟ ପ୍ରୟାସରେ ତାଙ୍କୁ ୧୧୫ କିଲୋ ଉଠାଇବାର ଥିଲା। ହେଲେ ଏଥିରେ ସେ ବିଫଳ ରହିଥିଲେ।

ମୀରାବାଇଙ୍କ ସଫଳତା

୧ – ଟୋକିଓ ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିଲେ। କର୍ଣ୍ଣମ ମଲ୍ଲେଶ୍ଵରୀଙ୍କ ପରେ ଅଲିମ୍ପିକରେ ସ୍ଵର୍ଣ୍ଣ ପଦକ ଜିତିବାରେ ଦ୍ଵିତୀୟ ଭାରତୀୟ ଭାରୋତ୍ତୋଳନକାରୀ।

୨ – ୨୦୨୦ର ଏସିୟାନ ଚାମ୍ପିଅନଶିପରେ କାଂସ୍ୟ ପଦକ ଜିତିଛନ୍ତି।

୩ – ୨୦୧୮ର ଗୋଲକୋଷ୍ଟରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

୪ – ୨୦୧୭ର ବିଶ୍ଵ ଚାମ୍ପିଅନଶିପରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

୫ – ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିଛନ୍ତି।

୬ – ୨୦୨୨ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

Related Posts