ରାଜ୍ୟରେ ଗତ ୭ବର୍ଷରେ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଉଥିବା ବେଳେ ୭୭୧ ମା ଓ ୫,୫୯୯ ଶିଶୁଙ୍କ ମୃତ୍ୟୁ ହୋଇଛି : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ୨୦୧୫-୧୬ ଠାରୁ ୨୦୨୧- ୨୨ ମସିହା ଅର୍ଥାତ୍‌ ୭ ବର୍ଷ ମଧ୍ୟରେ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଉଥିବା ସମୟରେ ୭୭୧ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ୫,୫୯୯ ଶିଶୁଙ୍କ ମୃତ୍ୟୁ ହୋଇଛି । ଏଥିରେ ସମସ୍ତ ଶିଶୁଙ୍କ ବୟସ ୫ ବର୍ଷରୁ କମ ରହିଛି ।

୨୦୧୫-୧୬ରେ ୯୪, ୨୦୧୬-୧୭ରେ ୧୪୮, ୨୦୧୭- ୧୮ରେ ୧୧୫, ୨୦୧୮-୧୯ରେ ୧୦୭, ୨୦୧୯-୨୦ରେ ୧୧୭, ୨୦୨୦-୨୧ରେ ୯୭ ଓ ୨୦୨୧-୨୨ରେ ୯୩ ଜଣ ମା’ଙ୍କ ମୃତ୍ୟୁ ହୋଇଛି ।୨୦୧୫- ୧୬ରେ ବଲାଙ୍ଗୀରରେ ସର୍ବାଧିକ ୧୨, ୨୦୧୬-୧୭ରେ ନବରଙ୍ଗପୁରରେ ସର୍ବାଧିକ ୧୪, ୨୦୧୭-୧୮ରେ ଗଞ୍ଜାମରେ ସର୍ବାଧିକ ୧୧, ୨୦୧୮- ୧୯ରେ ବାଲେଶ୍ୱରରେ ସର୍ବାଧିକ ୧୬, ୨୦୧୯-୨୦ରେ କଳାହାଣ୍ଡିରେ ସର୍ବାଧିକ ୧୨, ୨୦୨୦-୨୧ରେ କନ୍ଧମାଳରେ ସର୍ବାଧିକ ୯ ଓ ୨୦୨୧- ୨୨ରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୧୧ ଜଣ ମା’ଙ୍କ ମୃତ୍ୟୁ ହୋଇଛି । ସେହିପରି ୨୦୧୫-୧୬ରେ ମୋଟ ୨୪୯ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା ।ସେଥିରେ ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୧୮ ପୁତ୍ର ଓ ୧୨ କନ୍ୟା ସନ୍ତାନଙ୍କ ମୃତ୍ୟୁ ହୋଇଥିଲା । ୨୦୧୬-୧୭ରେ ୯୧୭ ଜଣ ମୃତକଙ୍କ ଭିତରୁ ବରଗଡ଼ରେ ଓ ବଲାଙ୍ଗୀରରେ ସର୍ବାଧିକ ୩୭ ଲେଖାଏଁ ପୁତ୍ର ସନ୍ତାନଙ୍କ ମୃତ୍ୟୁ ହୋଇଥିଲା ବେଳେ ବରଗଡ଼ରେ ୩୩ କନ୍ୟା ସନ୍ତାନଙ୍କ ମୃତ୍ୟୁ ହୋଇଛି ।

୨୦୧୭-୧୮ରେ କଳାହାଣ୍ଡିରେ ସର୍ବାଧିକ ୪୭ ପୁତ୍ର ସନ୍ତାନ ଓ ୪୩ କନ୍ୟାଙ୍କ ମୃତ୍ୟୁ ହୋଇଛି ।୨୦୧୮-୧୯ରେ ୮୩୯ ମୃତକଙ୍କ ଭିତରୁ କେନ୍ଦୁଝରରୁ ସର୍ବାଧିକ ୬୫ ପୁତ୍ର ଓ ୩୩ କନ୍ୟା, ୨୦୧୯-୨୦ରେ ୧୦୧୭ ମୃତକଙ୍କ ଭିତରୁ କଳାହାଣ୍ଡିରେ ସର୍ବାଧିକ ୬୪ ଓ ୬୨, ୨୦୨୦-୨୧ରେ ସମୁଦାୟ ୭୯୭ ମଧ୍ୟରୁ କେନ୍ଦୁଝରରୁ ୬୩ ପୁତ୍ର ଓ ୩୭ କନ୍ୟା ମୃତ୍ୟୁବରଣ କରିଛନ୍ତି । ୨୦୨୧-୨୨ରେ ୭୯୮ ମୃତକଙ୍କ ଭିତରୁ କେନ୍ଦୁଝରରୁ ସର୍ବାଧିକ ୫୧ ପୁତ୍ର ଓ ୪୬ କନ୍ୟା ମୃତ୍ୟୁବରଣ କରିଛନ୍ତି । ବିଧାନସଭାରେ ବିଧାୟକ ମନୋହର ରନ୍ଧାରି ପଚାରିଥିବା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି ସୂଚନା ଦେଇଛନ୍ତି ।

Related Posts