ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): BSNL କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚେତାବନୀ। କାମ କର ନହେଲେ ଚାକିରି ଛାଡ଼। ଏଭଳି ଚେତାବନୀ ଦେଇଛନ୍ତି ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଲିକ୍ ହୋଇଥିବା ଏକ ଅଡିଓରେ କେନ୍ଦ୍ରମନ୍ତ୍ରୀ BSNL କର୍ମଚାରୀଙ୍କୁ ଏଭଳି ଚେତାବନୀ ଦେଉଥିବା ଶୁଣିବାକୁ ମିଳିଛି। ଦୀର୍ଘଦିନ ଧରି ମାନ୍ଦାବସ୍ଥାରେ ଚାଲୁଥିବା BSNLକୁ ପୁଣିଥରେ ସଜାଡ଼ିବାକୁ ନିକଟରେ ୧.୬୪ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ କେନ୍ଦ୍ର ସରକାର।
ଏହାପରେ ସରକାର ଅନେକ ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ। ତେଣୁ ଆସନ୍ତା ଦୁଇ ବର୍ଷ କର୍ମଚାରୀଙ୍କୁ କଠିନ୍ନ ପରିଶ୍ରମ କରିବାକୁ କେନ୍ଦ୍ରମନ୍ତ୍ରୀ କହୁଥିବା ଭାଇରାଲ୍ ଭିଡିଓରେ ଶୁଣିବାକୁ ମିଳୁଛି। ଅଡିଓରେ ସଂସ୍ଥା କେତେ ଉନ୍ନତି କଲା ତାର ଅଡିଟ୍ ହେବ ବୋଲି ମନ୍ତ୍ରୀ କହୁଥିବାର ଶୁଣିବାକୁ ମିଳୁଛି। ଅଡିଓ ଅନୁସାରେ ମନ୍ତ୍ରୀ କର୍ମଚାରୀଙ୍କୁ କହୁଛନ୍ତି- କାମ କର ନହେଲେ ସ୍ୱେଚ୍ଛାକୃତ ଅବସର ନିଅ। ନହେଲେ ଯେମିତି ଭାରତୀୟ ରେଳବାଇରେ କରାଗଲା ସେମିତି କାମ କରୁ ନଥିବା କର୍ମଚାରୀଙ୍କୁ ଜବରଦସ୍ତି ଭିଆର୍ଏସ୍ ଦେଇଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
