ଜୟପୁର: ରାଜସ୍ଥାନର ସିକରଠାରେ ଥିବା ଖଟୂଶ୍ୟାମଜୀ ମନ୍ଦିରରେ ଘଟିଛି ଅଘଟଣ । ଦଳାଚକଟା ଯୋଗୁଁ ମନ୍ଦିର ପରିସରରେ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ଚିକିତ୍ସା ନିମନ୍ତେ ୨ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଭୋର୍‌ ପ୍ରାୟ ୫ଟା ବେଳେ ମନ୍ଦିରର ପ୍ରବେଶ ପଥରେ ଦଳାଚକଟା ହୋଇଥିଲା।

ଆଜି ଶ୍ରାବଣ ଏକାଦଶୀ ହୋଇଥିବାରୁ ଭଗବାନ କୃଷ୍ଣଙ୍କ ଅବତାର ବୋଲି ବିଶ୍ବାସ କରାଯାଉଥିବା ଖଟୂଶ୍ୟାମଜୀଙ୍କ ଦର୍ଶନକୁ ମଙ୍ଗଳକାରୀ ବୋଲି ବିଚାର କରାଯାଏ। ଏହାଛଡ଼ା, ରାଜସ୍ଥାନର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ତୀର୍ଥସ୍ଥାନ ହୋଇଥିବାରୁ ଏହି ମନ୍ଦିରରେ ଜନଗହଳି ହୋଇଥାଏ। ମନ୍ଦିରକୁ ଯିବା ପାଇଁ ଲୋକେ ଧାଡ଼ି ବାନ୍ଧି ଅପେକ୍ଷା କରିଥାଆନ୍ତି। ଥରେ ଥରେ ଜାତୀୟ ରାଜପଥ ଉପରେ ଏକ କିଲୋମିଟର୍‌ରୁ ଅଧିକ ଲମ୍ବା ଧାଡ଼ି ହୋଇଯାଏ।

ପୁଲିସ କହିବା ଅନୁସାରେ, ମନ୍ଦିର ଫାଟକ ଖୋଲାକୁ ଅପେକ୍ଷା କରି ବାହାରେ ବହୁସଂଖ୍ୟକ ଦର୍ଶନାଭିଳାଷୀ ଅପେକ୍ଷା କରିଥିଲେ। ଫାଟକ ଖୋଲିବା ମାତ୍ରେ ଅପେକ୍ଷାରତ ଜନତା ଭିତରକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ମହିଳା ତଳେ ପଡ଼ି ଅଜ୍ଞାନ ହୋଇଯିବାରୁ ତାଙ୍କ ପଛରେ ଆସୁଥିବା ଲୋକେ ପଡ଼ିଯାଇଥିଲେ। ଏହାପରେ ସେଠାରେ ଉପୁଜିଥିବା ଗୋଳମାଳିଆ ପରିସ୍ଥିତିରେ ୩ଜଣ ମହିଳା ଜୀବନ ହରାଇବା ସହ ଆଉ ୨ଜଣ ଆହତ ହୋଇଛନ୍ତି।

ଖବର ପାଇ ଦଳେ ପୁଲିସ କର୍ମଚାରୀ ମନ୍ଦିରରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିଲେ।

ଗଣମାଧ୍ୟମକୁ ସିକର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କନ୍‌ୱାର୍‌ ରାଷ୍ଟ୍ରଦୀପ କହିଛନ୍ତି ଯେ, ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ଜନସାଧାରଣଙ୍କୁ ଶୃଙ୍ଖଳିତ କରାଯାଉଛି ।