ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ବୁଧବାର ଦୁଇ କଂଗ୍ରେସ ବିଧାୟକ ଭାଜପାରେ ଯୋଗ ଦେଇଛନ୍ତି। ଆଜି ଦିଲ୍ଲୀରେ ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ଉପସ୍ଥିତିରେ କଙ୍ଗରା ବିଧାୟକ ପୱନ କାଜଲ ଏବଂ ନାଲାଗଡ ବିଧାୟକ ଲକ୍ଷ୍ମୀନ୍ଦର ସିଂ ରାଣା ଭାଜପାରେ ଯୋଗ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଏହି ଯୋଗଦାନକୁ ନେଇ କହିଛନ୍ତି, କଂଗ୍ରେସର ବରିଷ୍ଠ ନେତା ତଥା କାର୍ଯ୍ୟକାରୀ ସଭାପତି ପୱନ କାଜଲ ଏବଂ ଉପାଧ୍ୟକ୍ଷ ଲକ୍ଷ୍ମୀନ୍ଦର ସିଂ ରାଣା ଭାଜପାରେ ଯୋଗ ଦେଇଛନ୍ତି, ଆମେ ତାଙ୍କୁ ସ୍ବାଗତ କରୁଛୁ।ଭାଜପାରେ ଏହି ୨ ବିଧାୟକ ଯୋଗଦାନ ଦଳକୁ ଆହୁରି ମଜଭୁତ କରିବ।
ଅନ୍ୟପକ୍ଷରେ ଉଭୟ ବିଧାୟକଙ୍କ ଏହି ନିଷ୍ପତ୍ତି ପରେ ଏବେ ରାଜ୍ୟରେ କଂଗ୍ରେସ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି। କଂଗ୍ରେସରେ ସବୁକିଛି ଠିକ ଅଛି ବୋଲି ଦଳ ଦାବି କରୁଥିବାବେଳେ ଏହାର ବିପରୀତ ଘଟଣା ଘଟୁଛି। ଜଣେ ପରେ ଜଣେ ବଡ଼ ନେତା ଦଳ ଛାଡୁଛନ୍ତି। ଆଗକୁ ହିମାଚଳ ପ୍ରଦେଶ ନିର୍ବାଚନ ଥିବାବେଳେ ବରିଷ୍ଠ ବିଧାୟକ ଦଳ ଛାଡିବା ଚିନ୍ତାର ବିଷୟ ହୋଇଛି।





