ପାଣାଜୀ: ବିଜେପି ନେତ୍ରୀ ତଥା ଟିକ୍ ଟକ୍ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ ଘଟଣା । ଆକ୍ସନ ନେଲା ଗୋଆ ପୁଲିସ । ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ପୁଲିସର ସୂଚନାନୁସାରେ, ଅଗଷ୍ଟ ୨୨ରେ ଫୋଗାଟଙ୍କ ସହ ଗୋଆରେ ପହଞ୍ଚିଥିବା ତାଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ଭାସିଙ୍କୁ ଗିରଫ କରାଯାଇଛି।

ସୂଚନା ଥାଉ କି ଯେ ସୋନାଲୀ ଫୋଗାଟଙ୍କ ଶରୀର ବ୍ୟବଚ୍ଛେଦ ପାଇଁ ପରିବାର ଲୋକ ସେମାନଙ୍କ ସହମତି ଦେବା ପରେ ଆଜି ଗୋଆ ସରକାରୀ ହସ୍ପିଟାଲ୍‌ରେ ସୋନାଲୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା | ଏହି ରିପୋର୍ଟରେ ଶରୀରରେ ‘ଅନେକ ଆଘାତ ଚିହ୍ନ’ ଦେଖିବାକୁ ମିଳିଥିଲା। ଆଉ ଏହା ପରେ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ଭାସିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା।

ପୁଲିସ ଉଭୟଙ୍କୁ ପଚରାଉଚରା କରିବା ପରେ ଗିରଫ କରିଥିଲା। ସୂଚନା ଥାଉ କି ଯେ ବିଗ୍ ବସ୍-୧୪କୁ ୱାଇଲଡ କାର୍ଡ ପ୍ରତିଯୋଗୀଭାବେ ଆସି ଲୋକପ୍ରିୟ ହୋଇଥିବା ସୋନାଲୀ ଫୋଗାଟଙ୍କୁ ଅଗଷ୍ଟ ୨୩ ସକାଳେ ଉତ୍ତର ଗୋଆ ଜିଲ୍ଲାର ଅଞ୍ଜୁନା ଅଞ୍ଚଳର ସେଣ୍ଟ ଆନ୍ଥୋନି ହସ୍ପିଟାଲକୁ ମୃତ ଅବସ୍ଥାରେ ଅଣାଯାଇଥିଲା। ମୃତ୍ୟୁର ସମ୍ଭାବ୍ୟ କାରଣ ଭାବରେ ହୃଦଘାତକୁ ଦର୍ଶାଯାଇଥିଲା | ସୋନାଲୀ ତାଙ୍କର କିିଛି କର୍ମଚାରୀଙ୍କ ସହ ଗୋଆ ବୁଲିବାକୁ ଯାଇଥିବା ବେଳେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ତେବେ ତାଙ୍କ ମୃତ୍ୟୁକୁ ଏକ ସ୍ବାଭାବିକ ମୃତ୍ୟୁ ବୋଲି ଗ୍ରହଣ କରିନଥିଲେ ପରିବାର ଲୋକ। ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ପରିବାର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା |