ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଦେଶରେ ୫ଟି ରାଜଧାନୀ ହେଉ ବୋଲି ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ୱାରା ଦେଶରେ ଥିବା ଆଂଚଳିକ ଅସମାନତାକୁ ଶେଷ କରିହେବ ବୋଲି ସେ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଟୁଇଟରରେ ଆରୋପ ପ୍ରତ୍ୟାରୋପ ମଧ୍ୟରେ ସେ ଏହି କଥା କହିଛନ୍ତି । ହେମନ୍ତ କହିଛନ୍ତି ଯେ, ଗରିବ ରାଜ୍ୟଗୁଡିକୁ ପରିହାସ କରିବା ବନ୍ଦ ପାଇଁ ଏହି ପଦକ୍ଷେପ ନିଆଯାଇ ପାରିବ। ଭାରତର ୫ ରାଜଧାନୀ ହୋଇପାରିବ କି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାସ୍ଥ୍ୟ, ଶିକ୍ଷା ଓ ଯୋଗଯୋଗ କ୍ଷେତ୍ରରେ କଣ କରିଛନ୍ତି ତାହା ମଧ୍ୟ ଜଣାପଡିବ । ୨୦୧୪ ପରଠାରୁ ପୁର୍ବୋତର ରାଜ୍ୟଗୁଡିକର କଣ ଉନ୍ନତି ଘଟିଛି ତାହା ଆମେ ଜାଣିଛୁ ବୋଲି ହେମନ୍ତ କହିଛନ୍ତି। ତେବେ ଏହି ଟୁଇଟଟି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି ହେମନ୍ତ କରିଥିବା ଜଣା ପଡ଼ିଛି।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟର ଯେଉଁ ସ୍କୁଲରେ ୧୦ମ ଶ୍ରେଣୀର ସମସ୍ତ ପିଲା ଫେଲ ହେବେ ତାକୁ ବନ୍ଦ କରି ଦିଆଯିବ । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ହସ୍ତକ୍ଷେପ କରି କହିଥିଲେ ଦିଲ୍ଲୀର ଶିକ୍ଷା ମଡେଲ ଆପଣାଇଲେ ସମାଧାନ ହୋଇଯିବ । ହେମନ୍ତ ଏହା ପରେ କହିଥିଲେ ଦିଲ୍ଲୀ ପରି ଛୋଟ ଅଂଚଳକୁ ଆସାମ ସହ ତୁଳନା କରିବା ମୂର୍ଖାମୀ । ସେବେଠାରୁ ଉଭୟଙ୍କ ମଧ୍ୟରେ ଟୁଇଟର ୱାର ଜାରି ରହିଛି ।
