ହାତ ଛାଡ଼ିବେ ଜମ୍ମୁକଶ୍ମୀରରେ ୫୧ ନେତା:ଗୁଲାମ ନବୀ ଆଜଦଙ୍କ ନୂଆ ଦଳରେ ଦେବେ ଯୋଗ

ନୂଆଦିଲ୍ଲୀ: ଥମୁନି କଂଗ୍ରେସର ଅଡୁଆ। ନିର୍ବାଚନ ପରାଜୟ ସାଙ୍ଗକୁ ଦଳ ଛାଡ଼ିବାରେ ଲାଗିଛନ୍ତି ଅନେକ ବଡ଼ ବଡ଼ ନେତା । ଜଣକ ପରେ ଜଣେ ନେତା ଦେଉଛନ୍ତି ଇସ୍ତଫା। ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ଲାଗିବାକୁ ଯାଉଛି ଆଉ ଏକ ବଡ଼ ଝଟ୍‌କା।

ହାତ ଛାଡିବାକୁ ଯାଉଛନ୍ତି ଏକାଥରକେ ୫୧ ନେତା। ଜମ୍ମୁକଶ୍ମୀରରେ ଦଳର ପାଖାପାଖି ୫୧ ନେତା ଇସ୍ତଫା ଦେବାକୁ ଯାଉଛନ୍ତି।

ଜମ୍ମୁକଶ୍ମୀରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତାରା ଚନ୍ଦ, ପୂର୍ବତନ ମନ୍ତ୍ରୀ ମାଜିଦ ୱାନି, ମନୋହର ଲାଲ ଶର୍ମା, ଜମ୍ମୁକଶ୍ମୀର କଂଗ୍ରେସ ସଚିବ ନରିନ୍ଦ୍ରର ଶର୍ମାଙ୍କ ସମେତ ୫୧ ଜଣ ବଡ ବଡ ନେତା ଖୁବଶୀଘ୍ର କଂଗ୍ରେସରୁ ଇସ୍ତଫା ଘୋଷଣା କରିପାରନ୍ତି। ଏହି ସମସ୍ତ ନେତା ଗୁଲାମ ନବୀ ଆଜଦଙ୍କ ନେତୃତ୍ୱରେ ଗଠନ ହେବାକୁ ଯାଉଥିବା ନୂଆ ଦଳରେ ଯୋଗ ଦେବେ ବୋଲି କୁହାଯାଉଛି।

ଏହା ପୂର୍ବରୁ ଜମ୍ମୁ କଶ୍ମୀର ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ଗୁଲାମ ହାଏଦର ମଲ୍ଲିକ ଏବଂ ୧୨ ଜଣ ଦଳର ବରିଷ୍ଠ କର୍ମୀ ମଧ୍ୟ କଂଗ୍ରେସ ଛାଡିବାକୁ ଘୋଷଣା କରିଥିଲେ। ଏସମସ୍ତ ନେତା ଗୁଲାମ ନବୀ ଆଜାଦଙ୍କୁ ସମର୍ଥନ କରୁଛନ୍ତି। ଆଜାଦଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ମନ୍ତ୍ରୀ ଜିଏମ୍‌ ସରୁରୀ କହିଛନ୍ତ, ‘ ମଲିକ, ଗୁପ୍ତା ଏବଂ ଭାଗତଙ୍କ ତରଫରୁ ଆମକୁ ସମର୍ଥନ ପତ୍ର ମିଳିଛି। ଏହା ବ୍ୟତୀତ ଜମ୍ମୁ କଶ୍ମୀର କଂଗ୍ରେସର ସାଧାରଣ ସମ୍ପାଦକ ମହେଶ୍ୱର ସିଂହ ମାନହସ ମଧ୍ୟ ଆଜାଦଙ୍କ ସମର୍ଥନରେ ଦଳରୁ ଇସ୍ତଫା ଦେଇଛନ୍ତି।’

ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିବା ଗୁଲାମ ନବୀ ଆଜାଦ ଗତ ସପ୍ତାହରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଜି-୨୩ ଦଳ ସହ ମଧ୍ୟ ଜଡିତ ଥିଲେ। ଜି-୨୩ ଟିମ୍‌ କ୍ରମାଗତ ଭାବରେ କଂଗ୍ରେସରେ ପରିବର୍ତ୍ତନ ଆଣିବାକୁ ଦାବି କରିଆସୁଛି। କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜାଦ ଘୋଷଣା କରିଛନ୍ତି ଯେ ସେ ବିଜେପିରେ ଯୋଗଦେବେ ନାହିଁ।

Related Posts