ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଉପ-ରାଜ୍ୟପାଳ ଭିକେ ସକ୍ସେନାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣିଛି କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି। ଏହି ଅଭିଯୋଗ ପରେ ଆପ ନେତାମାନଙ୍କ ନାଁରେ ମାନହାନୀ ମକଦ୍ଦମା କରିବେ ବୋଲି ଚେତାବନୀ ଦେଇଛନ୍ତି ଉପ ରାଜ୍ୟପାଳ। ଆପ୍‌ ବିଧାୟକ ଆତିଶ ଓ ସୌରଭ ଭରଦ୍ୱାଜଙ୍କ ସମେତ ଏକାଧିକ ନେତା ତାଙ୍କ ନାମରେ ମିଥ୍ୟା ଓ ଅତ୍ୟନ୍ତ ସମ୍ମାନହାନୀ କରିବା ଭଳି ଦୁର୍ନୀତି ଅଭିଯୋଗ ଆଣିଥିବା ସେ କହିଛନ୍ତି।ତେଣୁ ଦରକାର ପଡ଼ିଲେ ଉପ ରାଜ୍ୟପାଳ ସକ୍ସେନା ସମସ୍ତଙ୍କ ନାଁରେ ମାନହାନୀ କେସ୍‌ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୬ ବିମୁଦ୍ରାକରଣ ସମୟରେ ସରକାରୀ ଖଦି ବୋର୍ଡର ଅଧ୍ୟକ୍ଷ ଭାବେ ସକ୍ସେନା କାମ କରୁଥିଲେ। ଏହି ସମୟରେ ସେ ନିଜର ଦୁଇ ଜଣ କର୍ମଚାରୀଙ୍କୁ ୧୪ଶହ କୋଟି ଟଙ୍କାର ପୁରୁଣା ନୋଟ ବଦଳାଇବାକୁ ଚାପ ପକାଇଥିଲେ ବୋଲି ଆପ୍‌ ଅଭିଯୋଗ କରିଛି। ଏଥିସହିତ ତାଙ୍କ ଇସ୍ତଫା ଦାବି କରିଛି। ତେବେ ସମସ୍ତ ଅଭିଯୋଗକୁ ସକ୍ସେନା ଖଣ୍ଡନ କରିଛନ୍ତି। ଏହା କେବଳ ଆପ୍ ନେତାମାନଙ୍କ ମନ ଗଢା କାହାଣୀ ବୋଲି ସେ କହିଛନ୍ତି।

ଉପ ରାଜ୍ୟପାଳ ସକ୍ସେନାଙ୍କ ଅଫିସରୁ ଜାରି ବିବୃତିରେ କୁହାଯାଇଛି, “ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ସହଯୋଗୀ ମାନଙ୍କର ଏହା ହେଉଛି ହଲମାର୍କ। ସେମାନେ କେବଳ ହଟ୍ଟଗୋଳ କରିବେ ଓ ନାନା ପ୍ରକାରର କଥା କହିବେ। କିନ୍ତୁ ଯେତେବେଳେ ସତ ଜଣାପଡ଼ିବ, ସେମାନେ କ୍ଷମା ମାଗିନେବେ। ଉପ ରାଜ୍ୟପାଳ ବେଶ ଗୁରୁତ୍ୱର ସହ ଆପ୍‌ ନେତାମାନେ ଦେଉଥିବା ମିଛି ଓ ସମ୍ମାନହାନୀ ଭଳି ବୟାନକୁ ନେଇଛନ୍ତି। ଏଥିପାଇଁ ସେ ‌ଆଇନର ଆଶ୍ରୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଆପନେତାମାନେ ଆଉ ଖସି ପାରିବେ ନାହିଁ।”