ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଦ୍ରାସାକୁ ଭାରତ ବିରୋଧୀ ଅଭିଯାନ ପାଇଁ ବ୍ୟବହାର କରାଯାଉଥିବା ଖବର ମିଳିଲେ ଏହାକୁ ଭାଙ୍ଗି ଦିଆଯିବ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏଭଳି ବୟାନ ଦେଇଛନ୍ତି। ଆସାମର ବୋଙ୍ଗାଗାଁଓ ଜିଲ୍ଲାରେ ଥିବା ଏକ ମଦ୍ରାସାରେ ‘ଜିହାଦୀ’ ଅଭିଯାନ ଚାଲିଥିବା ଖବର ମିଳିବା ପରେ ବୁଧବାର ଏହାକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗି ଦିଆଯାଇଛି।ଏହି ଘଟଣା ପରେ ଆସାମ ମୁଖ୍ୟମନ୍ତ୍ରୀ ଏଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି ‘ମଦ୍ରାସା ଭାଙ୍ଗିବାରେ ଆମର କୌଣସି ଉଦ୍ଦେଶ୍ୟ ନାହିଁ। ମାତ୍ର ଆମର ଉଦ୍ଦେଶ୍ୟ ଏହା ଯେ ମଦ୍ରାସା ଗୁଡ଼ିକୁ ଜିହାଦୀ ମାନଙ୍କ ଦ୍ୱାରା ବ୍ୟବହାର ନ ହେଉ। ଯଦି ଆମକୁ ଖବର ମିଳିଲା ଯେ ମଦ୍ରାସା ଆଳରେ ସେଠାରେ ଭାରତ ବିରୋଧୀ ଅଭିଯାନ ପରିଚାଳନା କରାଯାଉଛି ତେବେ ଆମେ ଏହାକୁ ଭାଙ୍ଗିଦେବୁ।’ ସୂଚନା ଥାଉକି ଅଲ୍‌କାଏଦା ଆତଙ୍କବାଦୀ ସଂଗଠନ ସହ ବୋଙ୍ଗାଗାଁଓ ମଦ୍ରାସାର ସମ୍ପର୍କ ଥିବା ଜଣା ପଡ଼ିବାରୁ ଏହାକୁ ଭାଙ୍ଗି ଦିଆଯାଇଛି। ଏହି ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀ ମାନେ ଅଲ୍‌କାଏଦା ଓ ବାଂଲାଦେଶର ଆତଙ୍କୀ ସଂଗଠନ ଅନସରୁଲ ବାଙ୍ଗଲା ସହ ସଂଶ୍ଳୀଷ୍ଠ ଥିଲେ।

ଏହା ପୂର୍ବରୁ ସୋମବାର ବାରାପେଟା ଜିଲ୍ଲାରେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଥିବା ଏକ ମଦ୍ରାସାକୁ ଭାଙ୍ଗିଥିଲେ ଆସାମ ସରକାର। ଗତ ୪ ବର୍ଷ ହେଲା ଏଠାରେ ବାଂଲାଦେଶୀ ଆତଙ୍କବାଦୀମାନେ ଆସି ଭାରତରେ ଆକ୍ରମଣ କରିବାର ଯୋଜନା କରୁଥିଲେ।