ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ଯୋଗୁ ଜୋରଦାର ବିଦ୍ରୋହ ପରେ ଦେଶ ଛାଡି ପଳାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶନିବାର ସ୍ୱଦେଶ ଫେରିବାର ସମ୍ଭାବନା ରହିଛି । ବର୍ତ୍ତମାନ ଗୋଟାବାୟା ଥାଇଲାଣ୍ଡରେ ରହୁଛନ୍ତି । ତେବେ ୭୩ ବର୍ଷୀୟ ଗୋଟାବାୟାଙ୍କ ସରକାର ବିରୋଧରେ ଆନ୍ଦୋଳନ ଜୋର୍‌ଦାର ହେବା ପରେ ସେ ଜୁଲାଇ ୧୩ରେ ଦେଶଛାଡି ପଳାଇଥିଲେ । ଏହା ପରେ ଜୁଲାଇ ୧୯ରେ ଆନ୍ଦୋଳନକାରୀ ମାନେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିଲେ ।

ପ୍ରଥମେ ଗୋଟାବାୟା ଶ୍ରୀଲଙ୍କା ବାୟୁସେନାର ବିମାନରେ ମାଳଦ୍ୱୀପ ଯାଇଥିଲେ । ସେଠାରୁ ସିଙ୍ଗାପୁର ଓ ଶେଷରେ ଥାଇଲାଣ୍ଡ ପଳାଇଥିଲେ । କିନ୍ତୁ ଥାଇଲାଣ୍ଡ ସରକାର ତାଙ୍କ ଦେଶରେ ୯୦ ଦିନ ରହିବା ଲାଗି ଅନୁମତି ଦେଇଥିଲେ । ତା’ଛଡା ସେଠାରେ କଡା ସୁରକ୍ଷା ବଳୟ ଭିତରେ ହୋଟେଲରେ ସେ ରହିଛନ୍ତି । ବହୁ ବାଦ ବିବାଦ ପରେ ବର୍ତ୍ତମାନ ରାନିଲ ବିକ୍ରମସିଂହେ ଦେଶର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ତେବେ ବର୍ତ୍ତମାନ ଶ୍ରୀଲଙ୍କାରେ ପରିସ୍ଥିତି ସାମାନ୍ୟ ସୁଧୁରିଥିବା ବେଳେ ଗୋଟାବାୟା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣା ପଡିଛି।