ମୁମ୍ବାଇ: ମହାରାଷ୍ଟ୍ର ରେ ରାଜ୍ୟ ମନ୍ତ୍ରିପରିଷଦରେ ଖାଲି ପଦବୀ ପୂରଣ ପାଇଁ ରାଜ୍ୟ କ୍ୟାବିନେଟର ସମ୍ପ୍ରସାରଣ ଶୀଘ୍ର ହେବ । ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ସୁଧୀର ମୁଙ୍ଗାଣ୍ଟିୱାର ଏନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ।
ଜୁନ୍ ୩୦ରେ ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଗଷ୍ଟ ୯ ରେ ପ୍ରଥମ ଥର ପାଇଁ ତାଙ୍କ ମନ୍ତ୍ରିମଣ୍ଡଳକୁ ବିସ୍ତାର କରିଥିଲେ। ସେତେବେଳେ ସେ ତାଙ୍କ ମନ୍ତ୍ରୀ ପରିଷଦରେ ୧୮ଜଣ ନୂତନ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରିଥିଲେ। ତାଙ୍କ ନେତୃତ୍ୱରେ ବିଦ୍ରୋହୀ ଶିବସେନା ଗୋଷ୍ଠୀର ୯ ଜଣ ଏବଂ ବିଜେପି, ଯିଏ ତାଙ୍କ ସରକାରକୁ ସମର୍ଥନ କରୁଛି, ତାର ମଧ୍ୟ ୯ ଜଣ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ।
ମହାରାଷ୍ଟ୍ର କ୍ୟାବିନେଟରେ ୧୮ ଜଣ ନୂତନ ସଦସ୍ୟଙ୍କୁ ସାମିଲ କରିବା ପରେ ଏହାର ଶକ୍ତି ୨୦କୁ ବୃଦ୍ଧି ପାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟରେ ମନ୍ତ୍ରୀ ପରିଷଦର ଅନୁମୋଦିତ ସଂଖ୍ୟା ହେଉଛି ୪୩। ଏହି ପରିପ୍ରେକ୍ଷୀରେ ବିଜେପି ନେତା ମୁଙ୍ଗାଣ୍ଟିୱାର କହିଛନ୍ତି, ଆମେ ନିକଟରେ ସରକାର ଗଠନ କରିଥିଲୁ ଏବଂ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୨୦ ଜଣ ମନ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରିଥିଲୁ। ନିୟମ ଅନୁଯାୟୀ, ମହାରାଷ୍ଟ୍ରରେ ୪୩ ଜଣ ମନ୍ତ୍ରୀ ରହିପାରିବେ। ତେଣୁ ରାଜ୍ୟ ସରକାରରେ ଆଉ ୨୩ ଜଣ ମନ୍ତ୍ରୀ ରହିପାରିବେ।
ଅଗଷ୍ଟ ୯ରେ କ୍ୟାବିନେଟରେ ସାମିଲ ହୋଇଥିବା ବିଜେପି ନେତା ମୁଙ୍ଗାଣ୍ଟିୱାର ଜଙ୍ଗଲ, ସାଂସ୍କୃତିକ ବ୍ୟାପାର ଏବଂ ମତ୍ସ୍ୟ ବିଭାଗ ଦାୟିତ୍ୱରେ ଅଛନ୍ତି। ସେ କହିଛନ୍ତି ଯେ ଗତ ସରକାରରେ ୩୩ ଜଣ ମନ୍ତ୍ରୀ ଥିଲେ।
ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ କ୍ୟାବିନେଟ ସମ୍ପ୍ରସାରଣ ପ୍ରସଙ୍ଗରେ ଆଲୋଚନା କରିବେ। ନୂତନ ବିଧାୟକମାନେ ସାଧାରଣ ଜନତାଙ୍କ ସେବା କରିବାର ସୁଯୋଗ ପାଇପାରିବେ ଏବଂ କ୍ୟାବିନେଟର ସମ୍ପ୍ରସାରଣ ଖୁବ୍ ଶୀଘ୍ର ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।