ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନର ସ୍କୁଲରେ ପୁଣି ଜାତିଆଣ ଭେଦଭାବ ଘଟଣା ସାମ୍ନାକୁ ଆସିଛି। ଉଦୟପୁରର ଏକ ସରକାରୀ ସ୍କୁଲରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା। ସ୍କୁଲର ରୋଷେୟା ଖାଦ୍ୟ ପରଷିବା ପାଇଁ ଆସିଥିବା ଦୁଇ ଦଳିତ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ଉକ୍ତ ରୋଷେୟାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଉଦୟପୁର ଗୋଗୁନ୍ଦା ଅଞ୍ଚଳରେ ଥିବା ଭାରୋଡି ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରତିଦିନ ଦୁଇ ଜଣ ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପରଷିବା ପାଇଁ ଦାୟିତ୍ୱ ଦିଆଯାଏ। ଶୁକ୍ରବାର ଦିନ ଏହି ଦାୟିତ୍ୱ ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଦୁଇ ଦଳିତ ଛାତ୍ରୀଙ୍କୁ ମିଳିଥିଲା। ଏହି ଦୁଇ ଛାତ୍ରୀ ଖାଦ୍ୟ ଆଣିବା ପାଇଁ ରୋଷେଇ ଘରକୁ ଯାଇଥିଲେ। ଏହା ଦେଖି ରୋଷେୟା ଲାଲାରାମ ଗୁର୍ଜର ପ୍ରଥମେ ସେମାନଙ୍କ ଜାତି କ’ଣ ବୋଲି ପଚାରିଥିଲେ। ଦୁଇ ଛାତ୍ରୀ ଦଳିତ ବୋଲି ଜାଣିବା ପରେ ସେମାନେ ଧରିଥିବା ଖାଦ୍ୟକୁ ଫିଙ୍ଗି ଦେଇଥିଲେ ରୋଷେୟା। ଏହାକୁ ନେଇ ଛାତ୍ରୀମାନେ ବିରୋଧ କରିଥିଲେ ମଧ୍ୟ କେହି ଶୁଣିନଥିଲେ।

ଉଭୟ ଛାତ୍ରୀ ଏ ସମସ୍ତ ଘଟଣା ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ରୋଷେୟାଙ୍କ ବିରୋଧରେ ପରିବାର ଲୋକେ ପ୍ରଥମେ ସ୍କୁଲର ପ୍ରଧାନ ଶିକ୍ଷକ ଓ ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ରୋଷେୟା ଲାଲାରାମ ଗୁର୍ଜର ବିରୋଧରେ ଏସ୍‌ସି ଏସ୍‌ଟି ଆକ୍ଟ ଅଧିନରେ ମାମଲା ରୁଜୁ କରି ଗିରଫ କରିବା ସହ ଯାଞ୍ଚ ଆରମ୍ଭ କରିଛି। ସେପଟେ ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ ନିବେଦନ କରିଛି।