୨୦୨୪ରେ ଓଡ଼ିଶା ବିଜେପିର ବିଧାୟକ ସାଂଖ୍ୟ ୧୩ ଓ ସାଂସଦ ସଂଖ୍ୟା ୩କୁ ଖସି ଆସିବ: ଦାମୋଦର ରାଉତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ୨୦୨୪ ନିର୍ବାଚନ ପାଇଁ ଓଡ଼ିଶା ଦଖଲ କରିବା ଲକ୍ଷ୍ୟରେ ବିଜେପି। ଓଡ଼ିଶାରେ ସରକାର ଗଠନ କରିବାକୁ ଦଳ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇ ଯାଇଛି। ଏଥିପାଇଁ ଏବେ ବିଜେପିର କେନ୍ଦ୍ରୀୟ ନେତୃତ୍ବ ଠାରୁ ଆରମ୍ଭ କରି ପ୍ରଭାରୀ ଓ କେନ୍ଦ୍ର ମନ୍ତ୍ରୀ ମାନେ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। ଏହି କ୍ରମରେ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେପି ଆଗାମୀ ୨୦୨୪ ନିର୍ବାଚନରେ ଓଡ଼ିଶାରେ ୧୬ଟି ଲୋକସଭା ଆସନ ଜିତିବାକୁ ଯାଉଛି। ଏହାପରେ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନକୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। ଶ୍ରୀ ରାଉତ କହିଛନ୍ତି ଯେ, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ଆଚରଣ ଯୋଗୁ ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ ଶୋଚନୀୟ ପ୍ରଦର୍ଶନ କରିବ। ରାଜ୍ୟରେ ବିଜେପିର ଲୋକସଭା ଆସନ ସାଂଖ୍ୟ ୮ରୁ ୩ ଓ ବିଧାନସଭା ଆସନ ସଂଖ୍ୟା ୨୩ରୁ ୧୩କୁ ଖସି ଆସିବ ବୋଲି ଦାମ କହିଛନ୍ତି।

ଶ୍ରୀ ରାଉତ ଆହୁରି କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଗସ୍ତରେ ଆସି ଯେଉଁଭଳି ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରୁଛନ୍ତି, ଏହା ସ୍ପଷ୍ଟ କରୁଛି ଯେ ସେମାନେ ସଂଘୀୟ ବ୍ୟବସ୍ଥା ସମ୍ପର୍କରେ ଅବଗତ ନାହାନ୍ତି। ନିଜର ସାମ୍ବିଧାନିକ ସ୍ଥିତି, ଦାୟିତ୍ବ ଓ କର୍ତ୍ତବ୍ୟ ନେଇ ସେମାନେ ଆଦୌ ସଚେତନ ନାହାନ୍ତି। କେନ୍ଦ୍ର ମନ୍ତ୍ରୀମାନେ ଦଳୀୟ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ମାନଙ୍କ ଭଳି କେନ୍ଦ୍ର ସରକାରଙ୍କର ରେଳବାଇକୁ ଛାଡ଼ିଲେ ଅନ୍ୟ କୌଣସି ସୂତ୍ରରେ ରାଜସ୍ବ ସଂଗ୍ରହ କରିବାର ବ୍ୟବସ୍ଥା ନାହିଁ। ରାଜ୍ୟରୁ କେନ୍ଦ୍ରୀୟ ଟିକସ ସଂଗ୍ରହ କରାଯାଇ କେନ୍ଦ୍ରର ପାଣ୍ଠି ସୃଷ୍ଟି ହୁଏ ଏବଂ ସବୁ ରାଜ୍ୟର ସମବିକାଶ ପାଇଁ ଏହି ପାଣ୍ଠିକୁ ଆବଣ୍ଟନ କରାଯାଏ। ତେବେ ଏହି ପାଣ୍ଠିର ବିନିଯୋଗ ରାଜ୍ୟରେ ଠିକ୍ ଭାବେ ହେଉଛି କି ନାହିଁ, ରାଜ୍ୟ ସଚିବାଳୟରେ ବିଭାଗୀୟ ଅଧିକାରୀମାନଙ୍କୁ ଡାକି କେନ୍ଦ୍ର ମନ୍ତ୍ରୀ ମାନେ ସମୀକ୍ଷା କରିପାରିବେ। ମାତ୍ର କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କେଉଁ କାର୍ଯ୍ୟକ୍ରମରେ କେଉଁ ବିଭାଗକୁ କେତେ ଟଙ୍କା ଦିଆଯାଇଛି, ତାହାର ଏକ ତାଲିକା ସଂଗ୍ରହ କରି ଦଳୀୟ କର୍ମୀଙ୍କ ଗହଣରେ ରାଜ୍ୟ ସରକାର କେନ୍ଦ୍ରୀୟ ପାଣ୍ଠି ହଡ଼ପ କରୁଛନ୍ତି ବୋଲି ଅଜବ ଯୁକ୍ତି ବାଢ଼ୁଛନ୍ତି। ଅନ୍ୟ ପକ୍ଷରେ ରେଳବାଇ ପାଣ୍ଠି କେନ୍ଦ୍ର ସରକାରଙ୍କ ନିଜସ୍ବ ହୋଇଥିଲା ବେଳେ ଓଡ଼ିଶାକୁ ରେଳ ବିକାଶ ପାଇଁ ଅର୍ଥ ବଣ୍ଟନରେ ପାତର ଅନ୍ତର କରୁଛନ୍ତି। ରାଜ୍ୟକୁ କୋଇଲା ରୟାଲିଟି ଦେବାରେ କେନ୍ଦ୍ର ଉଦାସୀନତା ଦେଖାଉଛି। ବିଭିନ୍ନ କ୍ଷେତ୍ରରେ ରହିଆସିଥିବା ରାଜ୍ୟର ଅନଗ୍ରସରତା ଦୂର କରିବା ପାଇଁ ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ଦେବାକୁ ମୁଖ୍ୟମନ୍ତ୍ରୀ ବହୁ ଦିନରୁ ଦାବି କରି ଆସୁଛନ୍ତି। ହେଲେ ଏହି ଦାବିକୁ କେନ୍ଦ୍ର ଶୁଣୁ ନାହିଁ। ବିଜେପିର ଏପରି ଓଡ଼ିଶା ବିରୋଧୀ ଆଭିମୁଖ୍ୟର ଜବାବ ଓଡ଼ିଶାବାସୀ ବିଗତ ଦିନରେ ଦେଇଛନ୍ତି ଓ ଆଗକୁ ମଧ୍ୟ ଦେବେ। ଏଭଳି ଓଡ଼ିଶା ବିରୋଧୀ ଆଚରଣ ପାଇଁ ବିଜେପି ଆଗାମୀ ନିର୍ବାଚନରେ ଶୋଚନୀୟ ପରାଜୟର ସମ୍ମୁଖୀନ ହେବେ ବୋଲି ଶ୍ରୀ ରାଉତ କହିଛନ୍ତି।

Related Posts