କଂଗ୍ରେସ ଏବେ ନେତାଶୂନ୍ୟ, ଭାରତ ଯୋଡୋ ଯାତ୍ରା କରିଦେଲେ ମିଳିବ ନାହିଁ ଭୋଟ : ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ସମେତ ଗୋଆ କଂଗ୍ରେସର ୮ ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଦଳ ଛାଡ଼ିବା ପରେ ଦିଗମ୍ବର କାମାତ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଥିପାଇଁ ସେ ଗୋଆ କଂଗ୍ରେସର ଦାୟିତ୍ୱରେ ଥିବା ନେତା ଏବଂ କେନ୍ଦ୍ରୀୟ ନେତୃତ୍ୱକୁ ଦାୟୀ କରିଛନ୍ତି। ପୂର୍ବରୁ ଦଳର କେନ୍ଦ୍ରୀୟ ନେତାମାନେ ତାଙ୍କୁ ଖରାପ ବ୍ୟବହାର କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ। ସେଥିପାଇଁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଲଜ୍ଜିତ କରିବା ଓ ଦଳର ପୂର୍ବତନ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଯୋଡା ଯାତ୍ରାରେ ଥିବାବେଳେ ସେ ଠିକ୍ ସମୟରେ ଏହାର ପ୍ରତିଶୋଧ ନେଇଛନ୍ତି। ତେବେ ଦୁଇମାସ ପୂର୍ବେ ଗୋଆ କଂଗ୍ରେସର ଏହି ବିଧାୟକମାନେ ବିଜେପିରେ ଯୋଗ ଦେବା ନେଇ ଆଲୋଚନା ହୋଇଥିଲା। ଏହା ପରେ ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୮ ଜଣ ବୁଧବାର ଦିନ ବିଜେପିରେ ଯୋଗ ଦେଇଛନ୍ତି । ଯାହା ଜୁଲାଇରେ ହୋଇପାରିନଥିଲା, ତାହା ସେପ୍ଟେମ୍ବରରେ ହୋଇଛି ବୋଲି ଏକ ସାକ୍ଷାତକାରରେ କହିଛନ୍ତି କାମତ।

କାମତ ଆହୁରି କହିଛନ୍ତି ଯେ, ଏଥିପାଇଁ ଗୋଆ ଦାୟିତ୍ବରେ ଥବା କେନ୍ଦ୍ରୀୟ ନେତୃତ୍ୱ ଦାୟୀ। ସେ କହିଛନ୍ତି ଯେ କଂଗ୍ରେସ ଦଳ ନେତାଶୂନ୍ୟ ହୋଇଯାଇଛି। ଦଳରେ କୌଣସି ନେତା ବାକି ନାହାଁନ୍ତି। କୌଣସି ମାର୍ଗଦର୍ଶକ ନାହାନ୍ତି। ଆପଣ ଏଭଳି ‘ଭାରତ ଯୋଡୋ ଯାତ୍ରା’ କରିଦେଲେ ଭୋଟ ମିଳିବନି। କାମତ ଆହୁରି କହିଛନ୍ତି ଯେ, ବିଧାନସଭା ନିର୍ବାଚନ ପରେ ଦଳ ଯେଉଁ ସବୁ ନିଷ୍ପତ୍ତି ନେଇଛି ତାହା ମୋତେ ଆଶ୍ଚର୍ଯ୍ୟ କରିଛି। ରାଜ୍ୟରେ ବରିଷ୍ଠ ନେତା ହେବା ସତ୍ତ୍ୱେ ଦଳ ମୋତେ ଖରାପ ବ୍ୟବହାର କରିଛି। ମୁଁ ଦଳକୁ ମୁଖ୍ୟମନ୍ତ୍ରୀ ଭାବେ ସଫଳତାର ସହିତ ୫ ବର୍ଷ ଦେଇଛି । ତଥାପି ସେମାନେ ମୋ ସହ ଖରାପ ବ୍ୟବହାର କରିଥିଲେ। ଗୋଆରେ ଆଠଥର ବିଧାୟକ ଥିବା କାମତ କହିଛନ୍ତି ଯେ, କଂଗ୍ରେସର ଆଚରଣରେ ସେ ଆଘାତ ପାଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଦେଶର ସ୍ଥିତିରେ ଉନ୍ନତି ଆଣିଥିବାରୁ କାମାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

Related Posts