ଆମ ସିଂହ ଭାରତ ଯୋଡ ଯାତ୍ରାରେ ବାହାରିଛି, ତେଣୁ ଭାରତକୁ ଭାଙ୍ଗିଥିବା ଲୋକେ ବିଦେଶରୁ ଚିତା ଆଣିଛନ୍ତି: ପୱନ ଖେରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନାମିବ୍ୟାରୁ ଆଣାଯାଇଥିବା ୮ଟି ଚିତାକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ ଯେ ଆମେ ୧୯୫୨ ମସିହାରେ ଦେଶରୁ ଚିତା ବିଲୁପ୍ତ ହୋଇଥିବାର ଘୋଷଣା କରିଥିଲୁ, କିନ୍ତୁ ଦଶନ୍ଧି ଧରି ସେଗୁଡିକର ପୁନରୁଦ୍ଧାର ପାଇଁ କୌଣସି ଅର୍ଥପୂର୍ଣ୍ଣ ପ୍ରୟାସ କରାଯାଇ ନଥିଲା। ଏବେ ପୁଣି ଭାରତକୁ ଚିତା ଆସିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ଏଥି ସହିତ କଂଗ୍ରେସ ଚିତା ସହ ଜଡିତ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଭାରତ ଯୋଡ଼ ଯାତ୍ରାରୁ ଦୃଷ୍ଟି ହଟାଇବାକୁ କରିଛନ୍ତି ବୋଲି କହିଛି। କଂଗ୍ରେସ ନେତା ପୱନ ଖେରା ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସମାଲୋଚନା କରି ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ, ଆମର ସିଂହ ରାହୁଲ ଗାନ୍ଧୀ ଏବେ ଭାରତ ଯୋଡ ଯାତ୍ରାରେ ବାହାରିଛନ୍ତି। ସେଥିପାଇଁ ଭାରତକୁ ଭାଙ୍ଗିଥିବା ଲୋକମାନେ ବର୍ତ୍ତମାନ ବିଦେଶରୁ ଚିତା ଆଣିଛନ୍ତି। ଏଭଳି କରି ଭାଜପା ନିଜ ମନରେ ଥିବା ଭୟ ପ୍ରକାଶ କରିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ଶନିବାର କରୁନାଗପଲ୍ଲୀ ନିକଟ ପୁଥିଆକାଭୁ ଜଙ୍କସନରେ ହଜାର ହଜାର ଦଳୀୟ କର୍ମୀଙ୍କ ସହ ଭାରତ ଯୋଡା ଯାତ୍ରାର ଦଶମ ଦିନ ଆରମ୍ଭ କରିଥିଲେ। ରାହୁଲ ଗାନ୍ଧୀ ଏବଂ ଯାତ୍ରାର ସଦସ୍ୟମାନେ ୨୪ କିଲୋମିଟର ପଦଯାତ୍ରା କରିବା ପରେ ଶୁକ୍ରବାର ସନ୍ଧ୍ୟାରେ କରୁନାଗପଲିରେ ବିଶ୍ରାମ ନେଇଥିଲେ।

Related Posts