ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଗ୍ ବଜେଟ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ ତାରିଖରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମ ରିଲିଜ୍ ପୂର୍ବରୁ ବଲିଉଡର ଅନେକ ବଡ଼ ବଡ଼ ଫିଲ୍ମ ଫ୍ଲପ ହୋଇଥିବାରୁ ଏହି ଫିଲ୍ମଟି ବଜାରରେ କିଭଳି ବ୍ୟବସାୟ କରିବ, ତାହା ଉପରେ ସମସ୍ତଙ୍କର ନଜର ରହିଥିଲା। ତେବେ ରିଲିଜ୍ ପରେ ଫିଲ୍ମଟି ଭଲ ବ୍ୟବସାୟ କରୁଥିବା ବେଳେ ସମଗ୍ର ବିଶ୍ବରେ ୩୦୦କୋଟି ଟଙ୍କା ଆୟ କରିସାରିଲାଣି।ଫିଲ୍ମର ସଫଳତା ପରେ ଫିଲ୍ମର ନାୟକ ଅଭିନେତା ରଣବୀର କପୁର ନିଜ ବାପା ତଥା ଦିବଂଗତ ଅଭିନେତା ଋଷି କପୁରଙ୍କୁ ମନେ ପକାଇଛନ୍ତି। ରଣବୀର କହିଛନ୍ତି ଯେ, ବାପା ବହୁତ କଠୋର ଥିଲେ। ମୋର ମନେ ଅଛି, ମୋ ଫିଲ୍ମ ‘ବର୍ଫି’ ରିଲିଜ୍ ହେବା ପରେ ସେ ମୋତେ ଫୋନ କରିଥିଲେ। ତାଙ୍କର ଫୋନ ଆସିବା ଦେଖି ମୁଁ ଡରିଯାଇଥିଲି। ରିସିଭ କରିବା ପରେ ସେ ମୋତେ କହିଥିଲେ, ହଁ ତୁମେ ଭଲ ଅଭିନୟ କରିପାରୁଛ। କିନ୍ତୁ ପରବର୍ତ୍ତୀ ସମୟରେ କଳାତ୍ମକ ଫିଲ୍ମ କରିବ ନାହିଁ। ସେ ଜାଣିଥିଲେ ଯେ ଦର୍ଶକ ହେଉଛନ୍ତି ରାଜା ଏବଂ ବକ୍ସ ଅଫିସଠାରୁ ବଡ଼ ଆଉ କେହି ନୁହନ୍ତି। ମୁଁ ଭାବୁଛି ସେ ଆଜି ଆମ ସହ ଥିଲେ ‘ବ୍ରହ୍ମାସ୍ତ୍ର’ର ସଫଳତା ଦେଖି ବହୁତ ଖୁସି ହୋଇଥାନ୍ତେ।
ଅନ୍ୟପକ୍ଷରେ ବଏକଟ ଟ୍ରେଣ୍ଡକୁ ନେଇ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ କହିଛନ୍ତି ଯେ, ଆମେ ସକାରାତ୍ମକ ହୋଇ ଫିଲ୍ମଟିକୁ ରିଲିଜ୍ କରିଥିଲୁ। ମୋର ଭାବନା ହେଉଛି କୌଣସି ବି କ୍ଷେତ୍ରରେ ସଫଳତା ପାଇବାକୁ ହେଲେ ଆମେ ନକରାତ୍ମକ କଥାରୁ ନିଜକୁ ଦୂରେଇ ରଖି ନିଜ ପଥ ଉପରେ ଧ୍ୟାନ ଦେବା ଉଚିତ।