ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ସମସ୍ତ ଉପଭୋକ୍ତା ମାନଙ୍କୁ ଦଶହରା ଭେଟି ଦେଇଛନ୍ତି । ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରିଛନ୍ତି ନବୀନ ସରକାର ।

ଫଳରେ ଏବେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ଦ୍ଧିତ ଭତା ତା ଗତ ଜାନୁଆରୀ ପହିଲା ପିଛିଲା ଭାବରେ ଲାଗୁ ହେବ ବୋଲି ସରକାର ଘୋଷଣା କରିଛନ୍ତି । ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନ ଉପଭୋକ୍ତାଙ୍କୁ ଟି.ଆଇରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀମାନେ ଚଳିତ ମାସର ଦରମାରେ ଏହି ବର୍ଦ୍ଧିତ ଭତ୍ତା ପାଇବେ । ଏହାସହିତ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ସେମାନଙ୍କୁ ପ୍ରଦାନ କରାଯିବ। ବର୍ଦ୍ଧିତ ଡିଏ ନିଷ୍ପତ୍ତି ଯୋଗୁଁ ରାଜ୍ୟ ସରକାରଙ୍କ ମୋଟ ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନ୍ସନଭୋଗୀ ଉପକୃତ ହେବେ ।