ବିଡିଏର ପ୍ରକଳ୍ପ ଉପରେ ରେରାର ପ୍ରତିବନ୍ଧକ, ବିଲ୍ଡରଙ୍କ ଛାତିରେ ଛନକା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୁବନେଶ୍ୱରରେ କୋଠାବାଡି ନିର୍ମାଣକୁ ନିୟନ୍ତ୍ରିତ ଓ ଶୃଙ୍ଖଳିତ କରିବାପାଇଁ ଥିବା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଆପାର୍ଟମେଣ୍ଟ ନିର୍ମାଣ କ୍ଷେତ୍ରରେ ନିଜେ ଆଇନ୍‍ ଉଲ୍ଲଙ୍ଘନ କରି ଆପାର୍ଟମେଣ୍ଟ ନିର୍ମାଣ କରୁଥିବା ଘଟଣା ରେରା ନଜରକୁ ଆସିଛି। ଏହାପରେ ଏବେ ଅନ୍ୟ ବିଲ୍ଡରମାନଙ୍କ ଛାତିରେ ଛନକା ପଶିଛି ।

ଏସବୁ ଭିତରେ ନିର୍ମାଣ ଆଇନ ଉଲଂଘନ କରୁଥିବାରୁ ବିଡିଏର ଦୟା ଏନକ୍ଲେଭ ପ୍ରକଳ୍ପ ଉପରେ ରେରା ପ୍ରତିବନ୍ଧକ ଲଗାଇଛି। ଏହାସହିତ ଏହି ପ୍ରକଳ୍ପ ପାଇଁ ଦିଆଯାଇଥିବା ମଞ୍ଜୁରୀକୁ କାହିଁକି ବାତିଲ କରାନଯିବ ସେଥିପାଇଁ କାରଣ ଦର୍ଶାଅ ନୋଟିସ୍‍ ଜାରି କରିଛି । ତେବେ ଏହି ପ୍ରକଳ୍ପରେ ଘର କିଣିବା ଲାଗି ଯେଉଁମାନେ ଅର୍ଥ ଜମା ଦେଇଛନ୍ତି ସେମାନଙ୍କ ଅବସ୍ଥା ଆଗକୁ କଣ ହେବ ତାହା ଉପରେ ଏବେ ପ୍ରଶ୍ନଚିହ୍ନ ଲାଗିଛି।

ଅନ୍ୟ ପକ୍ଷରେ ବର୍ଷାଜଳ ବ୍ୟବହାର ସହିତ ଘରେ କମ୍‍ ବିଦ୍ୟୁତ୍‍ ବ୍ୟବହାର ଲାଗି କୋଠାବାଡି ପ୍ଲାନ ଅନୁମୋଦନରେ ବିଡିଏ ସ୍ୱତନ୍ତ୍ର ବ୍ୟବସ୍ଥା ଆଣିବାକୁ ଯାଉଥିବାବେଳେ ବାପୁଜୀନଗର, ଶହୀଦନଗର ଠାରୁ ଆରମ୍ଭ କରି ଚନ୍ଦ୍ରଶେଖରପୁର ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଆବାସିକ ଅଞ୍ଚଳରେ ଘର ପ୍ଲାନ ପାଇଁ ଥିବା ବହୁ କଟକଣାର ଖୋଲା ଉଲ୍ଲଙ୍ଘନ କରାଯାଇ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟମାନ ନିର୍ମାଣ ଚାଲିଛି । ଏଥିଯୋଗୁଁ ଅନେକ ଘରକୁ ଆଲୁଅ ଓ ପବନ ପ୍ରବେଶରେ ବାଧା ଉପୁଜିବା ସହ ସନ୍ତସନ୍ତିଆ ପରିବେଶ ସୃଷ୍ଟି ହୋଇଛି ।

ଅନେକ ଅସାଧୁ ନିର୍ମାଣକାରୀ ସଂସ୍ଥା ଆବଶ୍ୟକ ମୁତାବକ ଜାଗା ନଛାଡି ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ କରୁଥିବାବେଳେ ଭବିଷ୍ୟତରେ ଏଗୁଡିକରେ ଯଦି ନିଆଁ ଲାଗେ ତେବେ ତାହାକୁ ଲିଭାଇବା ପାଇଁ ଦମକଳ ଗାଡି ତ ଦୂରରକଥା କରଟିଏ ମଧ୍ୟ ଘଟଣାସ୍ଥଳକୁ ଯିବାଲାଗି ଜାଗା ନାହିଁ । ଅଭିଯୋଗ ହେଉଛି ଯେ ଏଭଳି ବେଆଇନ୍‍ ନିର୍ମାଣ କାର୍ଯ୍ୟ ସାରା ଭୁବନେଶ୍ୱରରେ ଚାଲିଥିବାବେଳେ ତାହାକୁ ନିୟନ୍ତ୍ରିତ କରିବା ପରିବର୍ତ୍ତେ ବିଡିଏ ଏକ ପ୍ରକାର ଆଖିବୁଜି ଦେଇଛି ।

ଅନ୍ୟ ପକ୍ଷରେ ପ୍ଲାନ ବର୍ହିଭୂତ ଭାବେ ନିର୍ମାଣ କରାଯାଉଥିବା ଶତାଧିକ ଆପାର୍ଟମେଣ୍ଟ ଓ ଅନ୍ୟ ଘରକୁ ଭାଙ୍ଗିବାପାଇଁ ବିଡିଏ ନିଷ୍ପତ୍ତି ନେଇ ବର୍ଷ ବର୍ଷ ଧରି ଅପେକ୍ଷା କରିବା ଫଳରେ ବେଆଇନ୍‍ ନିର୍ମାଣକାରୀମାନେ ବେଧଡକ ଭାବେ ଗୋଟିଏ ପରେ ଗୋଟିଏ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରି କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି । ବେଆଇନ୍‍ ନିର୍ମାଣ ପ୍ରସଙ୍ଗରେ ରେରା ବିଲ୍ଡରମାନଙ୍କ ଉପରେ ଜୋରିମାନା ଲାଗୁ କରୁଥିବାରୁ ଏହାକୁ ସେମାନେ ଅତି ହାଲୁକାଭାବେ ନେଉଛନ୍ତି । କାରଣ ଯେତେ ପରିମାଣର ଜୋରିମାନା ହେଉଛି ତାହାର ଢେର ଅଧିକଗୁଣ ମୁନାଫା ସେମାନେ ଉଠାଉଥିବାରୁ ବସ୍ତୁତଃ ଜୋରିମାନା ଦେଇ ସେମାନଙ୍କ ବେଆଇନ୍‍ ନିର୍ମାଣକାର୍ଯ୍ୟକୁ ଆଇନସିଦ୍ଧ କରାଉଛନ୍ତି ।

ଏଭଳି ବେଆଇନ୍‍ ନିର୍ମାଣ ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ସାମାନ୍ୟ ବର୍ଷାରେ ଦୀର୍ଘଦିନ ଧରି ଜଳବନ୍ଦୀ ସମସ୍ୟା ଲାଗି ରହିବା ସହ ମଶାବଂଶ ବୃଦ୍ଧି ପାଇଁ ଡେଙ୍ଗୁ ସମେତ ଅନ୍ୟାନ୍ୟ ରୋଗ ବ୍ୟାପୁଛି । ନିର୍ମାଣ ଆରମ୍ଭରୁ କିମ୍ବା ନିର୍ମାଣାଧିନ ଅବସ୍ଥାରେ ବିଡିଏ ଓ ବିଏମ୍‍ସିର କ୍ଷେତ୍ର କର୍ମଚାରୀମାନେ ସଜାଗ ରହିଲେ ଅନେକ ବେଆଇନ୍‍ ନିର୍ମାଣକୁ ରୋକାଯାଇ ପାରନ୍ତା ଏବଂ ସାଧାରଣ ଲୋକେ ମଧ୍ୟ ଠକାମୀରୁ ବର୍ତ୍ତିଯାଇ ପାରନ୍ତେ ବୋଲି କୁହାଯାଉଛି । କିନ୍ତୁ ଏବେ ଖୋଦ ବିଡିଏ ବେଆଇନ୍‍ ଭାବେ ଆବାସିକ ପ୍ରକଳ୍ପ ନିର୍ମାଣ କରୁଥିବା ଘଟଣା ରେରା ନଜରକୁ ଆସିବାପରେ ଘରୋଇ ପ୍ରକଳ୍ପଗୁଡିକ ବସ୍ତୁତଃ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବହୁ ଯୋଜନା ବିଶେଷଜ୍ଞ ମତ ଦେଇଛନ୍ତି।

Related Posts