ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମଗ୍ର ଦେଶରେ ଏବେ ପିଏଫଆଇ ସଂଗଠନ ଉପରେ ସିବିଆଇ ଓ ଇଡିର ଚଢଉକୁ ନେଇ ପରିବେଶ ସରଗରମ ହୋଇ ଉଠିଛି। ଏହାକୁ ନେଇ ରାଜନୀତି ପରିବେଶ ମଧ୍ୟ ଉଷ୍ମ ରହିଛି । ଏହି ସମୟରେ ଶାସକ ଦଳ ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଛି । ମଧ୍ୟପ୍ରଦେଶର ବିଜେପି ବିଧାୟକ ରାମେଶ୍ୱର ଶର୍ମା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କୁ ଆଇଏସଆଇ ଏଜେଣ୍ଟ ଏବଂ କଂଗ୍ରେସ ବିଧାୟକ ଆରିଫ ମାସୁଦଙ୍କୁ ସିମି ଏଜେଣ୍ଟର ସଦସ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ଏହାକୁ ନେଇ କଂଗ୍ରେସ ଓ ବିଜେପି ଉପରେ ଆକ୍ରମଣାତ୍ମକ ପରିବେଶ ସୃଷ୍ଟି ହୋଇଛି । କଂଗ୍ରେସ ନେତାମାନେ ଜାହାଙ୍ଗିରାବାଦ ପୋଲିସ ଷ୍ଟେସନରେ ରାମେଶ୍ୱର ଶର୍ମାଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି।
ବିଜେପି ବିଧାୟକ ରାମେଶ୍ୱର ଶର୍ମା ଦିଗବିଜୟ ସିଂଙ୍କୁ ପିଏଫଆଇ, ଆଇଏସଆଇ ଏବଂ ପାକିସ୍ତାନର ଏଜେଣ୍ଟ ବୋଲି କହିଛନ୍ତି। ଏଥିସହିତ ସେ କଂଗ୍ରେସ ବିଧାୟକ ଆରିଫ ମାସୁଦଙ୍କୁ ସିମିର ସଦସ୍ୟ ବୋଲି କହିଛନ୍ତି । ରାମେଶ୍ୱର ଶର୍ମା କହିଛନ୍ତି ଯେ ‘ଦିଗବିଜୟ ସିଂ ପିଏଫଆଇ, ଆଇଏସଆଇ ଏବଂ ପାକିସ୍ତାନର ଏଜେଣ୍ଟ। ସେମାନଙ୍କର ରାଷ୍ଟ୍ରଦୂତ ହୋଇ ସେମାନେ ଭାରତର ଜନସାଧାରଣଙ୍କ ମାନସିକତାକୁ ଦ୍ୱନ୍ଦ୍ୱରେ ପକାଇଛନ୍ତି । ଏବେ ଦିଗବିଜୟ ସିଂଙ୍କ ଦେବାଳିଆ ପରିସ୍ଥିତି ସାମ୍ନାକୁ ଆସିଛି। ସେ ପାଗଳାମୀର ଏକ ସମୟ ଦେଇ ଗତି କରୁଛନ୍ତି। ଏହାକୁ ନେଇ ରାମେଶ୍ୱରଙ୍କ ବିରୋଧରେ ମାମଲା ଦାଏର କରିବାକୁ କହିଛି କଂଗ୍ରେସ ।
ସୂଚନାଯୋଗ୍ୟ ଯେ, ଦିଗବିଜୟ ସିଂହ ଏହା ପୂର୍ବରୁ ପିଏଫଆଇ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଯଦି ପିଏଫଆଇ ଉପରେ ଚଢ଼ାଉ ହେଉଛି ତାହେଲେ ଆରେସେସ ଉପରେ ମଧ୍ୟ ଚଢାଉ ହେଉ। କାରଣ ସଂଘ ପରିବାର ଦେଶରେ ଧାର୍ମିକ ଉନ୍ମାଦ ସୃଷ୍ଟି କରି ବିଶୃଙ୍ଖଳା କରୁଛି।
