ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚାଇନାର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ନେଇ ନିକଟରେ ଉଠିଥିବା ସମସ୍ତ ଗୁଜବ ଓ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଜିନ୍‌ପିଙ୍ଗ୍‌ ଉଜ୍‌ବେକିସ୍ତାନର ସମରକନ୍ଦ ଏସ୍‌ସିଓ ସମ୍ମିଳନୀରେ ଗତ ୧୬ ତାରିଖରେ ଯୋଗଦେଇ ଫେରିଥିଲେ। ଏହା ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳି ନ ଥିଲା। ଜିନ୍‌ପିଙ୍ଗ୍‌ ଏପରି ହଠାତ୍ ଉଭାନ ହେଇଯିବାକୁ ନେଇ କେତେକ ଗଣମାଧ୍ୟମ ବିଶେଷକରି ସୋସିଆଲ ମିଡିଆରେ ନାନା କଥା ପ୍ରସାରିତ ହୋଇଥିଲା।କେହି କେହି ଚୀନର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଜିନ୍‌ପିଙ୍ଗ୍‌ଙ୍କୁ ଗୃହବନ୍ଦୀ କରି ରଖିଥିବା ନେଇ ଚର୍ଚ୍ଚା କରୁଥିଲେ।

ଏହା ସହିତ ଲି କୁଇଆମ୍‌ଇଙ୍ଗ୍‌ ଚୀନର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଏନେଇ ଚୀନର ଶାସକ ଦଳ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନ ଥିବାରୁ ଗୁଜବକୁ ବଳ ମିଳିଥିଲା। ତେବେ ମଙ୍ଗଳବାର ଜିନ୍‌ପିଙ୍ଗ୍‌ କମ୍ୟୁନିଷ୍ଟ ପାର୍ଟିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେସବୁକୁ ଭୁଲ ପ୍ରମାଣିତ କରିଛନ୍ତି। ଚାଇନାର ଜିରୋ କୋଭିଡ୍‌ ପଲିସି ଅନୁଯାୟୀ ବିଦେଶରୁ ଫେରିବା ପରେ ସଂକ୍ରମଣ ଏଡ଼ାଇବା ପାଇଁ ଜିନ୍‌ପିଙ୍ଗ୍‌ କ୍ୱାରାଣ୍ଟାଇନରେ ରହିଥିବା କୁହାଯାଉଛି।