ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି । ଉଚିତ୍ ବ୍ୟବସ୍ଥା ନଥାଇ ଡେଡ୍‌ ଲାଇନ୍‌କୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ଏହି ମାମଲାରେ ହାଇକୋର୍ଟ କହିଛନ୍ତି ଯେ, ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନ୍‌ଲାଇନ୍‌ ବ୍ୟବସ୍ଥା ନାହିଁ । ଏଚଏସଆରପି ରେ ସ୍ଲଟ ବୁକ କରିବା ମଧ୍ୟ ଏବେ ସମ୍ଭବ ହେଉନାହିଁ। ଏଥିପାଇଁ କଣ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ ସେନେଇ କୋର୍ଟଙ୍କୁ ଅବଗତ କରାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ୩୦ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ପରିବହନ ବିଭାଗ ନୂଆ ନିୟମ ଆଣିଥିଲା । ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଚାଳକଙ୍କୁ ଫାଇନ୍‌ ଦେବାକୁ ପଡ଼ିବ ନାହିଁ । ଚେକିଂ ବେଳେ ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଚାଳକ ଫାଇନ୍‌ରୁ ବର୍ତ୍ତିବେ ବୋଲି କହିଛି ବିଭାଗ । ୧ କିମ୍ବା ୨ରେ ସରୁଥିବା ଗାଡ଼ି ନମ୍ବର ପାଇଁ ଡେଡଲାଇନ ୩୦ ସେପ୍ଟେମ୍ବର ରହିଛି । ଅର୍ଥାତ ସେପ୍ଟେମ୍ବର ୩୦ ପୂର୍ବରୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ସେହିଭଳି ୩ ଓ ୪ ସରୁଥିବା ନମ୍ବର ପାଇଁ ଡେଡଲାଇନ ହେଉଛି ୩୦ ସେପ୍ଟେମ୍ବର । ୫ ଓ ୬ ସରୁଥିବା ନମ୍ବର ପାଇଁ ଡେଡଲାଇନ ଅକ୍ଟୋବର ୩୧ ଏବଂ ୭ ଓ ୮ ସରୁଥିବା ନମ୍ବର ପାଇଁ ଡେଡଲାଇନ ନଭେମ୍ବର ୩୦ । ୯ ଏବଂ ୦ ସରୁଥିବା ନମ୍ବର ପାଇଁ ଡେଡଲାଇନ ଡିସେମ୍ବର ୩୧ ରଖାଯାଇଛି ।