ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଧାମନଗର ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏସବୁ ଭିତରେ ଉପନିର୍ବାଚନ ପୂର୍ବରୁ ବଦଳିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବିଡିଓ । ଏବେ ଦାୟିତ୍ୱରେ ଥିବା ଦୁର୍ଗାଚରଣ ର୍ମୁମୁଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ବନବିହାରୀ ଡିଣ୍ଡାଙ୍କୁ ଧାମନଗର ବିଡିଓ ଭାବେ ନିଯୁକ୍ତି ମିଳିଛି । ବନବିହାରୀ ଏବେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ତହସିଲଦାର ଅଛନ୍ତି ।
ସେହିପରି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବିଡିଓ ମଧ୍ୟ ବଦଳିଛନ୍ତି । ବସନ୍ତ କୁମାର ସାହାଣୀଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଜ୍ୟୋତିର୍ମୟ କରଙ୍କୁ ନିଯୁକ୍ତି ପାଇଁ ନିଷ୍ପତି ହୋଇଛି । ଜ୍ୟୋତିର୍ମୟ କର ଏବେ କଳାହାଣ୍ଡି କେସିଙ୍ଗାରେ ତହସିଲଦାର ଅଛନ୍ତି । ନୂଆ ନିଯୁକ୍ତି ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ପଂଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
