ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏଣିକି ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ, ଫୁଟପାଥ୍ ଓ ଡ୍ରେନ ଉପରେ କୌଣସି ଖାଦ୍ୟ ଦୋକାନ ରହିବ ନାହିଁ। ଏନେଇ ଶୁକ୍ରବାର ବିଏମସି ପକ୍ଷରୁ ଘୋଷଣା କରାଯାଇଛି। ଭୁବନେଶ୍ଵରର ଷ୍ଟ୍ରିଟଫୁଡ୍ ଭେଣ୍ଡରଙ୍କ ପାଇଁ ବିଏମସି ପକ୍ଷରୁ ଏକ ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି। ଏହାଦ୍ବାରା ପାର୍କିଂ ସମସ୍ୟାର ସମାଧାନ ହେବା ସହ ଲୋକ ମାନେ ସ୍ବାସ୍ଥ୍ୟକର ଖାଦ୍ୟ ପାଇ ପାରିବେ ବୋଲି ବିଏମସି ଆଶା ରଖିଛି।
ଅନ୍ୟପଟେ ଏହି ନିୟମ ନମାନିଲେ ବା ବ୍ୟତିକ୍ରମ ହେଲେ ବିଏମସି ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି। ସେପଟେ ଆଜିଠାରୁ ବିଏମସିର ଏକ ସ୍ବତନ୍ତ୍ର ଟିମ୍ ସହରସାରା ବୁଲି ବିଭିନ୍ନ ଖାଦ୍ୟ ପଦାର୍ଥ ଦୋକାନରେ ଚଢ଼ଉ କରିବେ। ସହରକୁ ସ୍ବଚ୍ଛ ରଖିବା ପାଇଁ ବିଭିନ୍ନ ବ୍ୟବସାୟୀ ସଂଗଠନମାନେ ସହଯୋଗ କରନ୍ତୁ ବୋଲି କମିସନର ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି।
*ବିଏମସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଗୁଡ଼ିକ ହେଲା-
୧- ରାସ୍ତା, ଫୁଟପାଥ୍ ଓ ଡ୍ରେନ ଉପରେ କୌଣସି ଖାଦ୍ୟ ଆଉଟଲେଟ୍ ରହିପାରିବ ନାହିଁ ।
୨- ଗ୍ରାହକଙ୍କ ପାଇଁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନଥାଇ ଫୁଡ୍ ଆଉଟଲେଟ୍ ବା ଖାଦ୍ୟ ଦୋକାନୀ ଘଟଣାସ୍ଥଳରେ ଖାଦ୍ୟ ପରିବେଷଣ କରିପାରିବ ନାହିଁ । କେବଳ ଗ୍ରାହକଙ୍କୁ ପାର୍ସଲ ଖାଦ୍ୟ ଯୋଗାଇ ପାରିବ ।
୨- ଖାଦ୍ୟ ନିରାପତ୍ତାର ସମସ୍ତ ନୀତିନିୟମକୁ ଖାଦ୍ୟ ଆଉଟଲେଟ୍ ବା ଦୋକାନୀଙ୍କୁ ମାନିବାକୁ ପଡ଼ିବ ।
୪- ଯେଉଁ ଫୁଡ୍ ଆଉଟଲେଟ୍ ପାଖରେ ପାର୍କିଂ ପାଇଁ ପର୍ଯ୍ୟାପ୍ତ ଜାଗା ରହିଛି ସେଠାରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଦୃଷ୍ଟି ଦେବାକୁ ସମ୍ପୃକ୍ତ ଦୋକାନୀ ବାଧ୍ୟ। ଦୋକାନରେ ଦୁଇଟି ଡଷ୍ଟବିନ୍ ରହିବ ଓ ସେମାନେ ନିଜ ଦୋକାନର ୫ମିଟର ବ୍ୟାସାର୍ଦ୍ଧ ଅଂଚଳକୁ ପରିଷ୍କାର ରଖିବେ ତଥା ଆବର୍ଜନା ସଂଗ୍ରହ କରୁଥିବା ଗାଡ଼ି ସେହି ଡଷ୍ଟବିନକୁ ସଂଗ୍ରହ କରିବ ।
୫- ଖାଦ୍ୟ ଦୋକାନୀରେ କାର୍ଯ୍ୟରତ କର୍ମଚାରୀମାନେ ପରିଷ୍କାର ପୋଷାକ ପିନ୍ଧିବା ସହ ମୁଣ୍ଡରେ ଟୋପି, ଦେହରେ ଆର୍ପନ, ମୁହଁରେ ମାସ୍କ ଓ ହାତ ଗ୍ଲୋବସ୍ ଲଗାଇ ଖାଦ୍ୟ ପରିବେଷଣ କରିବେ ।
୬- ବିଏମସି ଦ୍ୱାରା ଘୋଷିତ ‘ନୋ ଭେଣ୍ଡିଂ ଜୋନ୍ ଅଂଚଳ’ରେ କେହି ଖାଇବା ଦୋକାନ ଖୋଲି ବ୍ୟବସାୟ କରିପାରିବେ ନାହିଁ ।
