ବିବାହିତ ପୁରୁଷ ଜାଣି ମଧ୍ୟ ଶାରୀରିକ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ କୁହାଯିବ ନାହିଁ: କେରଳ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେରଳ ହାଇକୋର୍ଟ ବିବାହିତ ପୁରୁଷଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏକ ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଯଦି ଜଣେ ବିବାହିତ ପୁରୁଷଙ୍କ ସହ ଜଣେ ମହିଳାଙ୍କ ଶାରୀରିକ ସମ୍ପର୍କ ରହିଛି, ଏପରିକି ପୁରୁଷ ବିବାହିତ ବୋଲି ଜାଣି ମଧ୍ୟ ମହିଳା ଯଦି ସମ୍ପର୍କ ରଖିଛନ୍ତି ତେବେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। ଉଭୟଙ୍କ ମଧ୍ୟରେ ଏହା ଏକ ପ୍ରକାର ପ୍ରେମ ଏବଂ ସେମାନଙ୍କ ସ୍ୱଇଛାରେ ବୋଲି କୋର୍ଟ କହିଛନ୍ତି। ବିବାହର ମିଛ ପ୍ରତିଶ୍ରୁତି ଦେଇ ପୁରୁଷଙ୍କ ଉପରେ ଦୁଷ୍କର୍ମ ଅଭିଯୋଗକୁ ବନ୍ଦ କରିବା ପାଇଁ ଆବେଦନକାରୀ କେରଳ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି କୋର୍ଟ ଏହା କହିଛନ୍ତି।

ଏହି ଶୁଣାଣି ସମୟରେ ଜଷ୍ଟିସ କୌସର ଏଡପାଗଥ ଜଣେ ୩୩ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ଅଭିଯୋଗକୁ ଖାରଜ କରିଦେଇଥିଲେ। ସେ କହିଛନ୍ତି ଯେ, ଅଭିଯୁକ୍ତ ଏବଂ ଅଭିଯୋଗକାରୀଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲା। ଜଷ୍ଟିସ ଏଡପାଗଥ କହିଛନ୍ତି ଯେ ଅଭିଯୁକ୍ତ ଏବଂ ଅଭିଯୋଗକାରୀଙ୍କ ମଧ୍ୟରେ ସମ୍ପର୍କ ଉଭୟଙ୍କର ସହମତିରେ ସ୍ଥାପନ ହୋଇଥିଲା। ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଜାଣିଥିଲେ। ପୁରୁଷ ଜଣଙ୍କର ବିବାହ ପରେ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ଜାରି ରହିଲା। ସବୁକିଛି ଜାଣିବା ପରେ ମଧ୍ୟ ଏହି ପ୍ରକାର ସମ୍ପର୍କ କେବଳ ପ୍ରେମ, ତେଣୁ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ।

କୋର୍ଟଙ୍କ ରାୟରେ କୁହାଯାଇଛି ଯେ, ‘ଅଭିଯୋଗକାରୀ ମହିଳା ୨୦୧୦ ମସିହାରୁ ଆବେଦନକାରୀଙ୍କ ସହ ସମ୍ପର୍କ ରଖିଆସିଛନ୍ତି। ୨୦୧୩ ରେ, ଅଭିଯୋଗକାରୀ ଜାଣିବାକୁ ପାଇଥିଲେ ଯେ ଯୁବକ ପୂର୍ବରୁ ବିବାହିତ ଥିଲେ। ଏହା ପରେ ମଧ୍ୟ ଉଭୟଙ୍କର ମଧ୍ୟରେ ସମ୍ପର୍କ ରହିଆସିଥିଲା। ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଯୁବକଙ୍କ ବିରୁଦ୍ଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ସମ୍ପର୍କ ଥିବା ଅଭିଯୋଗ କରାଯାଇ ପାରିବନାହିଁ। ଏହା କହି କୋର୍ଟ ଅଭିଯୋଗକାରୀଙ୍କ ଅଭିଯୋଗକୁ ଖାରଜ କରିଦେଇଛନ୍ତି।

ତେବେ ଅଭିଯୋଗକାରୀ ମହିଳା ଜଣଙ୍କ ଆଇପିସିର ଧାରା ୪୦୬ ( ଅପରାଧିକ ବିଶ୍ୱାସଘାତ ଉଲ୍ଲଂଘନ), ୪୨୦ (ପ୍ରତାରଣା) ଏବଂ ୩୭୬ (ଦୁଷ୍କର୍ମ) ଅଧୀନରେ ୩୩ ବର୍ଷିୟ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି।

Related Posts