ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିମନ୍ତେ ପଞ୍ଜୀକରଣ ଅବଧି ୧ ମାସ ବୃଦ୍ଧି କରାଯାଇଛି । ହେଲେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ଅବଧିକୁ ୧ ବର୍ଷ ବୃଦ୍ଧି କରାଯିବା ସହିତ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ଆବେଦନ ଓ ଅର୍ଥ ପୈଠ ନିମନ୍ତେ ନିର୍ଦ୍ଦେଶ ଦେବାକୁ ଜୟନ୍ତୀ ଦାସଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ବୁଧବାର ରୁଜୁ ହୋଇଛି।

ଏହି ମାମଲାରେ ସେ ଆହୁରି କେତେକ ପ୍ରସଙ୍ଗ ଉପରେ ବିଚାର ନିମନ୍ତେ ମଧ୍ୟ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟରେ ହେଲମେଟ, ସିଟ୍‌ ବେଲ୍ଟ, ପଲ୍ୟୁସନ ପ୍ରମାଣପତ୍ର ଓ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଆଦି ଚେକିଂରୁ ଆଦାୟ ହେଉଥିବା ଜରିମାନା ଅର୍ଥ କେବଳ ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣାର ମୃତାହତଙ୍କ ନିମନ୍ତେ ଖର୍ଚ୍ଚ ସମ୍ପର୍କରେ ଅଦାଲତ ଓଡ଼ିଶା ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଅଡିଟ୍‌ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରିଛନ୍ତି। ରାଜ୍ୟରେ ନକଲି ଡ୍ରାଇଭିଂ ଶିକ୍ଷାନୁଷ୍ଠାନ ବିନା ଲାଇସେନ୍ସରେ ଚାଲିଛି । ଟାକ୍ସ ଫୋର୍ସ ମାଧ୍ୟମରେ ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସୋସାଇଟ୍‌ ଅଫ ଇଣ୍ଡିଆନ୍‌ ଅଟୋମୋବାଇଲ ମାନୁଫାକଚରର୍ସ (ସିଆଇଏଏମ) ଓ୍ବେବସାଇଟ୍‌ରେ ୨୦୧୧ ମସିହାଠାରୁ ଚୋରା ଯାନ ଓ ଉଦ୍ଧାର ହୋଇଥିବା ଯାନ ଗୁଡ଼ିକର ତଥ୍ୟ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି।

ଏହି ମାମଲାରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ, ପ୍ରିନ୍‌ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ, କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ପରିବହନ ମନ୍ତ୍ରଣାଳୟ, ଏସ୍‌ଆଇଏଏମ୍‌, କଟକ ଆଞ୍ଚଳିକ ପରିବହନ ଅଧିକାରୀ ଓ କଟକ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଛି ।