ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ଏବେ ମାହୋଲ ସରଗରମ ହୋଇ ଉଠିଛି। ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ବିଜେଡିରେ ଅସନ୍ତୁଷ୍ଟ ହୋଇ ସ୍ଵାଧୀନ ଭାବେ ନିର୍ବାଚନୀ ମଇଦାନରେ ଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା। ତେବେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ପ୍ରଶ୍ନଉଠୁ ନାହିଁ ବୋଲି କହି ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ରାଜୁ। ଏହାସହିତ ସେ ସ୍ୱାଧୀନ ପାର୍ଥୀ ଭାବେ ମଇଦାନରେ ରହି ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଦଳ ପକ୍ଷରୁ ରାଜୁଙ୍କ ମାନଭଞ୍ଜନ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଉଦ୍ୟମ ସଫଳ ହୋଇନାହିଁ।
ଅନ୍ୟପଟେ ବିଜେଡି, ବିଜେପି ଓ କଂଗ୍ରେସ ଭଳି ନିଜ ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କରି ଧାମନଗର ରାଜନୀତିକୁ ଆହୁରି ସରଗରମ କରିଛନ୍ତି ରାଜୁ । ରାଜୁ ଦାସ ଆଜି ନିଜ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ଅନ୍ୟ ଦଳ ଗୁଡିକ ଭଳି କେହି ହେବିୱେଟ୍ ନେତା ନାହାନ୍ତି ।ଏକ ନୂଆ ପ୍ରକାରର ତାଲିକା ଜାରି କରି ରାଜୁ ଦାସ ରାଜନୈତିକ ଚାଲ ଖେଳିଛନ୍ତି ।
ଲୋକଙ୍କ ନିକଟତର ହେବା ପାଇଁ ରାଜୁ ଜାରି କରିଥିବା ଏହି ତାଲିକାରେ ରହିଛନ୍ତି ବାପା, ମା, ଗୁରୁଜନ, ଚାଚା, ଚାଚି । କେବଳ ଏମାନେ ନୁହନ୍ତି, କୃଷକ, ଭାଇ ଭଉଣୀ ଓ ସାଧାରଣ ଜନତା ତାଲିକାରେ ଅଛନ୍ତି । ରାଜୁ ଦାସ କହିଛନ୍ତି ଏମାନେ ହେଉଛନ୍ତି ତାଙ୍କର ହର୍ତାକର୍ତା ଦୈବବିଧାତା । ଏହି ତାଲିକା ଜାରି ହେବା ପରେ ଧାମନଗର ନିର୍ବାଚନ ଲଢେଇ ଏବେ ରୋଚକ ହୋଇଛି ।
