ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ତେବେ ଏହି ନିର୍ବାଚନରେ ଭୋଟ ଦେଇନାହାନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ସେ ଆଜି ଭୋଟ ଦେବାକୁ ଆସିନଥିବା ସୂଚନା ମିଳିଛି। ତେବେ ନିଜ ବ୍ୟକ୍ତିଗତ କାମରେ ବାହାରେ ଥିବାରୁ ଭୋଟ ଦେବାକୁ ଆସିପାରିନାହାନ୍ତି ବୋଲି ମୋକିମ କହିଛନ୍ତି।
ଗତ ରାଷ୍ଟ୍ରପତି ନିର୍ବାଚନରେ ଦଳ ବିରୋଧରେ ଯାଇ ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେଇ ସେ ଚର୍ଚ୍ଚିତ ହୋଇଥିଲେ। ତେବେ ଶରଦ ପଟ୍ଟନାୟକଙ୍କୁ ପିସିସି ସଭାପତି ଦାୟିତ୍ୱ ମିଳିବ ପରଠାରୁ ସେ ଦଳରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ସେବେଠାରୁ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁନାହିଁ। ତେବେ ମୋକିମ ଏବେ ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟ ନଦେବା ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ ଯେ, ଆଜି ଦିନ ୧୦ଟା ଠାରୁ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ପଦ ପାଇଁ ମତଦାନ(ଭୋଟ୍) ଆରମ୍ଭ ହୋଇଛି ।ମତଦାନ ପରେ ବାଲଟ୍ ବକ୍ସ ନୂଆଦିଲ୍ଲୀ ଯିବ । ସେଠାରେ ଏଆଇସିସିରେ ୧୯ରେ ଭୋଟ୍ ଗଣତି ପରେ ଫଳ ଘୋଷଣା ହେବ । ତେବେ ଏଆଇସିସି ଅଧ୍ୟକ୍ଷ ପଦ ପାଇଁ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି ।
