ଜୟ ଶାହାଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଲା ପିସିବି, ବିଶ୍ୱକପ୍ ପାଇଁ ଭାରତ ନ ଆସିବାକୁ ଦେଲା ଧମକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିସିସିଆଇ ସମ୍ପାଦକ ଜୟ ଶାହା ଏସିଆ କପ ପାଇଁ ଟିମ୍ ଇଣ୍ଡିଆର ପାକିସ୍ତାନ ଗସ୍ତକୁ ସିଧା ସିଧା ମନା କରିଦେବା ପରେ ଏହାକୁ ନେଇ ଆପତ୍ତି ଉଠାଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ଏନେଇ ପିସିବି ଏସିଆ କ୍ରିକେଟ୍ ପରିଷଦର ଏକ ଜରୁରୀକାଳୀନ ବୈଠକ ଡାକିବାକୁ ଚିଠି ଲେଖିଛି । ଖାଲି ସେତିକି ନୁହେଁ, ଚିଠିରେ ଜୟ ଶାହାଙ୍କ ଏହି ଘୋଷଣାକୁ ଏକତରଫା ଘୋଷଣା ବୋଲି କହିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ ।

ଏହି ଚିଠିରେ ପିସିବି ଲେଖିଛି ଯେ, ଜୟ ଶାହାଙ୍କ ଟିପ୍ପଣୀ ଆଶ୍ଚର୍ଯ୍ୟଜନକ ଓ ନିରାଶାଜନକ ଅଟେ । ଏସିଆ କ୍ରିକେଟ୍ ପରିଷଦ କିମ୍ବା ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ ବିନା କୌଣସି ଚର୍ଚ୍ଚା କରି ସେ ଏପରି ଟିପ୍ପଣୀ ଦେବାକୁ ପିସିବି ପସନ୍ଦ କରିନି । ତେବେ ଏସିସି ବୋର୍ଡ ସଦସ୍ୟଙ୍କ ସମର୍ଥନରେ ହିଁ ପାକିସ୍ତାନକୁ ଏସିଆ କପ୍ ଆୟୋଜନର ଅଧିକାର ମିଳିଥିଲା । ହେଲେ ଜୟ ଶାହା କିନ୍ତୁ ଏକତରଫା ନିଷ୍ପତ୍ତି ନେଇଛନ୍ତି ବୋଲି ପାକିସ୍ତାନ କହିଛି ।

୧୯୮୩ ମସିହାରେ ଏସିଆ କ୍ରିକେଟ୍ ପରିଷଦର ଗଠନ ହୋଇଥିଲା । ଏସିଆରେ କ୍ରିକେଟର ବିକାଶ, ଆୟୋଜନ, ପ୍ରଚାର ପ୍ରସାର କରିବା ପାଇଁ ଏହାର ଗଠନ ହୋଇଥିଲା । ହେଲେ ଏଭଳି ବୟାନ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ସମୁଦାୟକୁ ବିଭାଜିତ କରିବ । ତେଣୁ ଏପରି ସ୍ଥିତିରେ ଭାରତ ଯଦି ଏସିଆ କପ୍ ଖେଳିବାକୁ ପାକିସ୍ତାନ ନଆସେ ତେବେ, ଭାରତରେ ହେବାକୁ ଥିବା ଆଗାମୀ ଦିନିକିଆ ବିଶ୍ୱକପ୍ ମଧ୍ୟ ପ୍ରଭାବିତ ହେବ ବୋଲି କୁହାଯାଇଛି । ତେଣୁ ପରୋକ୍ଷରେ ଭାରତରେ ହେବାକୁ ଥିବା ବିଶ୍ୱକପରେ ପାକିସ୍ତାନ ଯୋଗ ଦେବନି ବୋଲି ଧମକ ଦେଇଛି ପିସିବି ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୮ ତାରିଖରେ ବସିଥିବା ବୈଠକରେ ଜୟ ଶାହା ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ଆସନ୍ତା ଏସିଆ କପ୍ ପାକିସ୍ତାନରେ ଆୟୋଜିତ ହେଲେ, ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବନି ବୋଲି ସେ କହିଥିଲେ । ଏଥିସହିତ ଏକ ନିରପେକ୍ଷ ସ୍ଥାନରେ ମ୍ୟାଚ୍ ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ହେଲେ ଏହି ବୟାନକୁ କିନ୍ତୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ପସନ୍ଦ କରିନି ।

Related Posts