ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ସକ୍ରିୟ ହେଲେ ଲାଲ୍ ବାହିନୀ, ଘଟାଇଲେ ଲଙ୍କାକାଣ୍ଡ। କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ନିକଟ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିବାର ଦଶ ଦିନ ନପୂରୁଣୁ ଏହାର ପ୍ରତିଶୋଧ ନେଇଛନ୍ତି ମାଓବାଦୀ। ପୋଲିସ ଇନଫର୍ମର ସନ୍ଦେହରେ ଟିକରବାଜୁ ଗ୍ରାମର ନୀଳକଣ୍ଠଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପରେ ସନ୍ଧ୍ୟାରେ ଜାର୍ଗୀ ନିକଟରେ ଠିକା ସଂସ୍ଥା କରୁଥିବା ରାସ୍ତା କାମକୁ ବିରୋଧ କରି, ରାସ୍ତା କାମରେ ନିୟୋଜିତ ଥିବା ଗୋଟିଏ ଜେସିବି ଏବଂ ଗୋଟିଏ ଟ୍ରାକ୍ଟରକୁ ମଧ୍ୟ ପୋଡି ଦେଇଛନ୍ତି।
ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ସାଢେ଼ ଛଅଟା ବେଳେ ଠିକା ସଂସ୍ଥାର କର୍ମଚାରୀଙ୍କୁ ବାହାରି ଯିବାକୁ କହି ମାଓବାଦୀମାନେ ପୋଡା ଜଳା କରିଛନ୍ତି। ଏହାସହିତ ଘଟଣାସ୍ଥଳରେ ମାଓ ପୋଷ୍ଟର ମଧ୍ୟ ଛାଡ଼ିଯାଇଛନ୍ତି। ଏହି ପୋଷ୍ଟର ମାଧ୍ୟମରେ ସେମାନେ ଅନ୍ୟ ପୋଲିସ ଇନଫର୍ମରମାନଙ୍କୁ ଚେତାବନୀ ଦେଇଛନ୍ତି। ସୁଡ୍ରl ଗାଁର ଠିକାଦାର ଟୁନା ସାହୁ, ବବଲୁ ବାପି, ପଟାଙ୍ଗୀ ଗାଁ ମୁଖିଆ ଜହନ ମାଝୀ, ଗୋସ୍କା ଗାଁର ଅମସ ହରିଜନ ମିତ୍ରା, ଜାମ୍ବୁଲି ସଞ୍ଜୟ, ମୋହନଗିରୀ ଗାଁର ସିଲି ମାଝୀ ଏବଂ ଖମନଖୋଲ ଟିକରବାଜୁ ଡାକା ଗାଁରେ ପୋଲିସ ସୂଚନାଦାତା ଭାବେ କାମ କରୁଥିବା ନେଇ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି ମାଓବାଦୀ। ଖୁବ୍ ଶୀଘ୍ର ପୋଲିସର ସୂଚନାଦାତା କାମ ଛାଡ଼ିଦେବାକୁ ସତର୍କ ସୂଚନା ଦିଆଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ କେକେବିଏନ ଡିଭିଜନ ଏହି କାଣ୍ଡ ଭିଆଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
