ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକ ମହାନଦୀ ବିହାର ଡକାୟତି ଘଟଣାରେ କମିସନରେଟ୍‌ ପୁଲିସକୁ ବଡ ସଫଳତା ମିଳିଛି। ଏହି ମାମଲାରେ ମୋଟ ୫ ଜଣଙ୍କୁ ଗିରଫ କରିଛି ପୁଲିସ। କଟକ ଚାଉଳିଆଗଞ୍ଜ ଥାନା ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୧ ଲକ୍ଷ ୭୦ ହଜାର ଟଙ୍କା, ବାଇକ ଓ କାର ଜବତ କରିଛି। ଏନେଇ କଟକ ଡିସିପି ପିନାକ ମିଶ୍ର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଅଭିଯୁକ୍ତମାନେ ହେଲେ ଚିତ୍ତ ରଞ୍ଜନ ମହାପାତ୍ର, ତାପସ କୁମାର ଜେନା, ସାଗର (ମୁଖ୍ୟ ଅଭିଯୁକ୍ତ), ଦୀପକ ଝା, ବିଜୟ ପଟେଲ ଓ ପ୍ରେମ ପ୍ରସାଦ ସୋନି। ତେବେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ କିଛି ସଦସ୍ୟ ବାହାର ରାଜ୍ୟର ହୋଇଥିବା ସୂଚନା ରହିଛି।

ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ଗତ ୨୧ ତାରିଖ (ଶୁକ୍ରବାର) ମହାନଦୀ ବିହାର ଅଂଚଳରୁ ଜଣେ ବ୍ୟକ୍ତିଙ୍କ ଘରୁ ୧୮ ଲକ୍ଷ ଟଙ୍କା ସମେତ ଅଳଙ୍କାର ଲୁଟ ହୋଇଥିଲା। ଏହି ଲୁଟ୍‌ ଘଟଣା ସହିତ ଉପରୋକ୍ତ ୬ ଜଣ ଅଭିଯୁକ୍ତ ସଂପୃକ୍ତ ଥିଲେ। ତେବେ ଅଭିଯୋଗ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ସ୍ପେଶାଲ ସ୍କ୍ବାର୍ଡ ଗଠନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୫ ଜଣ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଅଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଏହି ଟିମ୍‌ର ନେତୃତ୍ବ ନେଇଥିଲେ କଟକ ଏସପି।

ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଡକାୟତି କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ବହୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ପୁଲିସ ଠାରୁ ଖସି ଯାଇପାରି ନାହାନ୍ତି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୧ ଲକ୍ଷ ୭୮ ହଜାର ୫୦୦ ଟଙ୍କା, ଗୋଟିଏ କାର୍‌, ୧୫ଟି ବାଇକ୍‌, ୭ଟି ମୋବାଇଲ ଓ ଛୁରୀ ଜବତ କରିଛି।