ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲେ ସୁଦ୍ଧା ପୋଲିସ ଏହାକୁ ଏକ ଗ୍ୟାଙ୍ଗଓ୍ବାରର ଆଖ୍ୟା ଦେଉଛି । କିଛି ଏଭଳି ଅଭିଯୋଗ ଆଣିଛନ୍ତି ହତ୍ୟାର ଶିକାର ହୋଇଥିବା ବହୁଚର୍ଚ୍ଚିତ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କ ପିତା ବଲକର ସିଂ। ଏହାସହିତ ଆଗାମୀ ମାସେ ମଧ୍ୟରେ ପୁଅ ମୃତ୍ୟୁର ନ୍ୟାୟ ନମିଳିଲେ ଅଭିଯୋଗ ପ୍ରତ୍ୟାହାର କରି ବିଦେଶ ଚାଲିଯିବାର ଚେତାବନୀ ଦେଇଛନ୍ତି ବଲକର ସିଂ ।

ବଲକର ସିଂ କହିଛନ୍ତି ଯେ, ‘ମୋ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଗଲା । କିନ୍ତୁ ପୋଲିସ ଏହାକୁ ଏକ ଗ୍ୟାଙ୍ଗଓ୍ବାର ଜନିତ ହତ୍ୟାକାଣ୍ଡ ବୋଲି ଦର୍ଶାଇବାକୁ ଉଦ୍ୟମ କରୁଛି । ଏ ସମ୍ପର୍କରେ ମୁଁ ଏକାଧିକ ଥର ପୋଲିସ ମହାନିର୍ଦ୍ଦେଶକଙ୍କ ଠାରୁ ନ୍ୟାୟ ପାଇବା ପାଇଁ ପ୍ରୟାସ କରିସାରିଛି । କିନ୍ତୁ କୌଣସି ସୁଫଳ ମିଳନି । ଏବେ ଆଉ ମାସେ ଅପେକ୍ଷା କରିବି, ନଭେମ୍ବର ୨୫ ସୁଦ୍ଧା ନ୍ୟାୟ ନମିଳିଲେ ନିଜ ପୁତ୍ରକୁ ହତ୍ୟା ନେଇ କରିଥିବା ଏତଲା ପ୍ରତ୍ୟାହାର କରିବା ସହ ଦେଶ ଛାଡି ଚାଲିଯିବି ।’

ସୂଚନାଯୋଗ୍ୟ ଯେ, ଗତ ୫ ମାସ ପୂର୍ବେ ( ମେ ୨୯ ତାରିଖରେ) ପଞ୍ଜାବର ମାନସାରେ କଂଗ୍ରେସ ନେତା ତଥା ଗାୟକ ସିଦ୍ଧୁ ମୁସେୱାଲାଙ୍କୁ କିଛି ଦୁର୍ବୃତ୍ତ ଦିନ ଦ୍ବିପ୍ରହରରେ ଗୁଳି କରି ହତ୍ୟା କରିଥିଲେ । ତାଙ୍କୁ ଦିଆଯାଇଥିବା ସରକାରୀ ସୁରକ୍ଷା ହଟାଯିବାର ଗୋଟିଏ ଦିନ ପରେ ହିଁ ତାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ପଏଣ୍ଟ ବ୍ଲାଙ୍କ୍‌ ରେଞ୍ଜ୍‌ରୁ ତାଙ୍କୁ ପ୍ରାୟ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ ହତ୍ୟାକାରୀ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ସହଯୋଗୀ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିଲେ । ତଦନ୍ତ ପରେ ଏହି ହତ୍ୟାକାଣ୍ଡ ପଛରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ତାର ପଳାତକ ଗ୍ୟାଙ୍ଗଷ୍ଟାର ଘନିଷ୍ଠ ବନ୍ଧୁ ଗୋଲ୍ଡି ବ୍ରାରର ସମ୍ପୃକ୍ତି ଥିବା ଜଣା ପଡ଼ିଥିଲା । ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁସେଓ୍ବାଲାଙ୍କ ପିତା ଓ ପରିବାର । ଏପରି କି ସିଦ୍ଧୁଙ୍କ ବାପା ସିଧା ଦେଶ ଛାଡିବାର ଚେତାବନୀ ମଧ୍ୟ ଦେଇଛନ୍ତି ।