ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଗତକାଲି ପଞ୍ଚାୟତ ବୈଠକକୁ ଯାଇଥିବା ଜଣେ ୱାର୍ଡ ମେମ୍ବରଙ୍କ ମୃତଦେହ ଆଜି ସକାଳୁ ଏକ ନାଳରୁ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ତଳ ଯାଗର ଗ୍ରାମର ୱାର୍ଡ଼ ମେମ୍ବର ଭଗବାନ ଦେହୁରୀ ।
ଗତ କାଲି କୁମୁଣ୍ଡି ପଞ୍ଚାୟତରେ ଏକ ବୈଠକକୁ ଯାଉଛି କହି ଘରୁ ବାହାରି ଯାଇଥିଲେ ଭଗବାନ ହେଲେ ରାତି ହୋଇଥିଲେ ମଧ୍ୟ ଆଉ ଘରକୁ ଫେରି ନ ଥିଲେ ।ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଆଜି ସକାଳ ଗାଁ ନିକଟରେ ଯାଇଥିବା ଏକ ନାଳରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ଲୋକ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗନ୍ଧମାର୍ଦ୍ଦନ ଖଣି କ୍ଷତିଗ୍ରସ୍ତ ଅଞ୍ଚଳରେ ଯାଉଥିବା ତଳ ଯାଗର ଗ୍ରାମର କିଛି ଆଖି ଦୃଶିଆ ଉନ୍ନତି ହେଉନି। ଏହାକୁ ନେଇ ଗ୍ରାମବାସୀ ଜାତୀୟ ଅନୁସୂଚିତ ଜନଜାତି କମିଟିରେ ଅଭିଯୋଗ କରିଥିବା ବେଳେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚାଲି ଆସିଛି। ୱାର୍ଡ଼ ମେମ୍ବର ଭଗବାନ ଦେହୁରୀ ଏହି ଆନ୍ଦୋଳନର ନେତୃତ୍ୱ ନେଉଥିଲେ। ଏହି ଅଭିଯୋଗ ଆଧାରରେ ୨ ଦିନ ତଳେ ଦିଲ୍ଲୀରୁ ଏକ ଟିମ୍ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଗାଁକୁ ଆସିଥିଲା। ମାତ୍ର କିଛି ବିରୋଧୀ ଗୋଷ୍ଠୀ ସେମାନଙ୍କୁ ଗାଁରେ ପଶାଇ ଦେଇ ନ ଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା। ଏହି ଘଟଣାକୁ ନେଇ ଗତକାଲି ପଞ୍ଚାୟତ ବୈଠକ ଡକାଯାଇଥିବା ବେଳେ ଭଗବାନ ଉକ୍ତ ବୈଠକକୁ ଯାଇଥିଲେ। ମାତ୍ର ବୈଠକରୁ ସେ ଆଉ ଘରକୁ ଫେରି ନ ଥିବା ବେଳେ ତାଙ୍କ ମୃତଦେହ ଆଜି ଏକ ନାଳରୁ ଉଦ୍ଧାର ହୋଇଛି। ତେଣୁ ପରିବାର ଲୋକେ ଏହାକୁ ଏକ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି।
