ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ଡିଏସ୍ପିରୁ ଅତିରିକ୍ତ ଏସ୍ପିକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ ଲଗାଇଲେ ଓଡ଼ିଶା ହାଇକୋର୍ଟ। ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଥିଲା। ଏହି ବିଜ୍ଞପ୍ତି ଉପରେ ରହିତାଦେଶ ଲଗାଇବା ସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଓପିଏସ୍ସି କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।କୋରାପୁଟ ଜିଲ୍ଲାରେ ଡିଏସ୍ପି ଭାବେ କାର୍ଯ୍ୟରତ ଗୁଣନିଧି ମଲ୍ଲିକଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଓଡିଶା ପୁଲିସରେ ଡିଏସ୍ପିରୁ ଏଡିସନାଲ୍ ଏସ୍ପି ପାହ୍ୟାକୁ ପଦୋନ୍ନତି ପାଇବା ପାଇଁ ଡିଏସ୍ପି ଭାବେ ସର୍ବନିମ୍ନ ୩ ବର୍ଷର ଅଭିଜ୍ଞତା ଆବଶ୍ୟକ ହେଉଥିଲା। ତେବେ ଚଳିତବର୍ଷ ପଦୋନ୍ନତି ପାଇଁ ଏହାକୁ କୋହଳ କରିବାକୁ ଗୃହ ବିଭାଗ ଓପିଏସ୍ସିକୁ ବାରମ୍ବାର ଅନୁରୋଧ କରିଥିଲା। ଏହି ଆଧାରରେ ଗତ ଜୁଲାଇ ୨୨ ତାରିଖରେ ୩ ବର୍ଷ ବଦଳରେ କେବଳ ୬ ମାସ ଅଭିଜ୍ଞତାକୁ ବିଚାରକୁ ନେବାକୁ ଓପିଏସ୍ସି ଗୃହ ବିଭାଗକୁ ଚିଠି ଦ୍ୱାରା ଜଣାଇଥିଲା। ଏହି ଆଧାରରେ ଗୃହ ବିଭାଗ ପକ୍ଷରୁ ପଦୋନ୍ନତି ନେଇ ତାଲିକା ପ୍ରସ୍ତୁତ କରାଯାଇଥିଲା। ତେବେ ଏହି ଅନୁମତି କେବଳ ‘ୱାନ ଟାଇମ୍ ରିଲାକ୍ସସେସନ୍’ ବୋଲି ସମ୍ପୃକ୍ତ ଚିଠିରେ କୁହାଯାଇଥିଲା। ଏହାକୁ ନେଇ ୨୦୧୬ ମସିହାରୁ ଡିଏସ୍ପି ଭାବେ କାର୍ଯ୍ୟରତ ଗୁଣନିଧି ମଲ୍ଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।