ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ସଦ୍ୟ ସମାପ୍ତ ଟି-୨୦ ବିଶ୍ୱକପ ପୁଣି ଥରେ ପ୍ରମାଣିତ କରିଛି ଯେ କ୍ରିକେଟ ଭାରତୀୟମାନଙ୍କ ଭାବାବେଗ ସହ ଜଡିତ । ସମଗ୍ର ଦେଶ ଭାରତୀୟ କ୍ରିକେଟ୍ ଟିମ୍ ସହିତ ହସେ ଓ ଦୁଃଖି ମଧ୍ୟ ହୁଏ । ତେବେ ଟି-୨୦ ବିଶ୍ୱକପରେ ପରାଜୟର ଦୁଃଖ ମଧ୍ୟରେ ବର୍ତ୍ତମାନ ଭାରତୀୟ କ୍ରିକେଟ୍ ପ୍ୟାନ୍ସଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। କାରଣ ୨୦୦୭ ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ବିଜୟର କାହାଣୀ ବର୍ତ୍ତମାନ OTT ରେ ଏକ ୱେବସିରିଜ୍ ଭାବରେ ସାମ୍ନାକୁ ଆସିବ।

ଏହି ଟି -୨୦ ବିଶ୍ୱକପ ଉପରେ ପ୍ରସ୍ତୁତ ହେବାକୁ ଥିବା ୱେବ୍ ସିରିଜ୍ ବିଷୟରେ ସୂଚନା ସୋସିଆଲ ମିଡିଆରେ ଦିଆଯାଇଛି। ଟ୍ରେଡ୍ ଏନାଲିଷ୍ଟ ତରନ ଆଦର୍ଶ ବିଶ୍ୱକପ ବିଜୟର ଦୁଇଟି ଫଟୋ ସେୟାର କରି ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି। ଏହି ପୋଷ୍ଟଟି ସେୟାର ହେବା ମାତ୍ରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ୱେବସିରିଜର ଟାଇଟଲ୍ ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ ବୋଲି ତରନ କହିଛନ୍ତି ।

ଏହି ୱେବସିରିଜରେ ୨୦୦୭ ବିଶ୍ୱକପ୍‌ର ୧୫ ଜଣ ଖେଳାଳି ଯୋଗଦେବେ। ଏହି ଫିଲ୍ମରେ ରିୟଲ ଫୁଟେଜ୍ ମଧ୍ୟ ବ୍ୟବହାର କରାଯିବ। ଏହି ଡକ୍ୟୁମେଣ୍ଟାରୀ ଆଧାରିତ ଫିଲ୍ମର ଏକ ତୃତୀୟ ଭାଗର ସୁଟିଂ କରାଯାଇଛି । ଫିଲ୍ମ ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଟି -୨୦ ବିଶ୍ୱକପ ୨୦୦୭ ଉପରେ ଆଧାରିତ ଏହି ୱେବ୍ ସିରିଜର ପ୍ରଡକ୍ସନ୍ ୟୁକେ ଭିତ୍ତିକ ଫର୍ମ ୱାନ ୱାନ ସିକ୍ସ ନେଟୱାର୍କ କରୁଛି। ଏହି ସିରିଜର ନିର୍ଦ୍ଦେଶକ ଆନନ୍ଦ କୁମାର ଯିଏକି ପୂର୍ବରୁ ଦିଲ୍ଲୀ ହାଇଟ୍ସ ଏବଂ ଜିଲା ଗାଜିଆବାଦ ଭଳି ଫିଲ୍ମ ନିର୍ମାଣ କରିଛନ୍ତି। ଏହାର ରାଇଟର୍ ହେଉଛନ୍ତି ସୌରଭ ଏମ ପାଣ୍ଡେ ଯିଏ ‘କାଶ୍ମୀର ଫାଇଲ୍ସ’, ‘ଦ ତାସକନ୍ଦ ଫାଇଲ୍ସ’ ଏବଂ ‘ବାଣୀ’ ଭଳି ଫିଲ୍ମର କାହାଣୀ ଲେଖିଛନ୍ତି। ଏହି ୱେବ୍ ସିରିଜଟକୁ ୨୦୨୩ ରେ ରିଲିଜ୍ କରାଯିବ ବୋଲି ସୂଚନା ମିଳିଛି ।