ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପାଖାପାଖି ୧୫ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ କୋରେଇ ଷ୍ଟେସନରେ ଟ୍ରେନ୍ ଚଳାଚଳ ଆଂଶିକ ଭାବେ ସ୍ୱାଭାବିକ ହୋଇଛି। ଗତକାଲି ରାତି ୧୦ଟାରୁ ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍ ସରବରାହକୁ ଅସ୍ଥାୟୀ ଭାବେ ମରାମତି କରାଯାଇ ଡାଉନ୍ ଲାଇନରେ ରେଳ ଚଳାଚଳ କରିଛି। ଆଜି ଅନ୍ୟ ଲାଇନରେ ଟ୍ରେନ୍ ଚଳାଚଳ କରିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ ଯେ, ସୋମବାର ସକାଳେ କୋରେଇ ରେଳଷ୍ଟେସନରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେବାସହ ୪ ଜଣ ଆହତ ହୋଇଥିଲେ। ହେଲେ, ଅଳ୍ପକେ ବହୁ ଯାତ୍ରୀ ବର୍ତ୍ତି ଯାଇଥିବା ବେଳେ ଏକ ବଡ଼ ଅଘଟଣ ଟଳି ଯାଇଥିଲା। ଦୁର୍ଘଟଣାର ପ୍ରାୟ ଅଧଘଣ୍ଟାଏ ପରେ ଏହି ଷ୍ଟେସନ୍ରେ ବାଲେଶ୍ବର-ଭୁବନେଶ୍ବର ମେମୁ ଟ୍ରେନ୍ ରହଣି କରିଥାଏ। ଏହି ଟ୍ରେନରେ ବହୁ ଚାକିରିଆ ଭୁବନେଶ୍ବର ଯାଉଥିବା ବେଳେ କଟକ ବଡ଼ ଡାକ୍ତରଖାନାକୁ ମଧ୍ୟ ଲୋକମାନେ ଯାଇଥା’ନ୍ତି। ସେହିପରି, ବ୍ୟାସନଗର ଓ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାତାୟାତ କରୁଥିବା ଶ୍ରମିକମାନେ ମଧ୍ୟ ଏହି ଟ୍ରେନ୍ ଉପରେ ନିର୍ଭର କରନ୍ତି। ଫଳରେ ଏହିସବୁ ସ୍ଥାନକୁ ଯିବା ପାଇଁ ପ୍ରତିଦିନ କୋରେଇ ରେଳଷ୍ଟେସନରେ ଶତାଧିକ ଲୋକଙ୍କ ଭିଡ଼ ଜମେ।
