ନୂଆଦିଲ୍ଲୀ: ସୁନନ୍ଦା ପୁଷ୍କର ଅପମୃତ୍ୟୁ ମାମଲାକୁ ପୁଣି ଥରେ ମୁଣ୍ଡ ଟେକିଛି । ସୁନନ୍ଦା ପୁଷ୍କର ଅପମୃତ୍ୟୁ ମାମଲାରେ ତାଙ୍କର ପତି ତଥା କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ମୁକ୍ତ କରାଯିବାକୁ ବିରୋଧ କରିଛି ଦିଲ୍ଲୀ ପୁଲିସ । ଏନେଇ ପୋଲିସ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୧୮, ୨୦୨୧ରେ ପାରିତ ହୋଇଥିବା ଏକ ରାୟରେ ପଟିଆଲା ହାଉସ୍‌ କୋର୍ଟ ସୁନନ୍ଦା ପୁଷ୍କର ଅପମୃତ୍ୟୁ ମାମଲାରେ ତାଙ୍କ ସ୍ୱାମୀ ତଥା କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ମୁକ୍ତ କରି ଦେଇଥିଲେ।

ତେବେ, ପାଟିଆଲା ହାଉସ୍‌ କୋର୍ଟର ଏହି ରାୟ ବିରୋଧରେ ଦିଲ୍ଲୀ ପୁଲିସ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ‘ସଂଶୋଧନ’ ଆବେଦନ ଦାଖଲ କରା ଯାଇଥିଲା। ଆଜି ଏହି ଆବେଦନ ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଶଶି ଥରୁରଙ୍କ ଉପରେ ନୋଟିସ ଜାରି କରିଛନ୍ତି। ଏଥିସହ ଆସନ୍ତା ଫେବ୍ରୁଆରି ୭, ୨୦୨୩ ପାଇଁ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଧାର୍ଯ୍ୟ କରଛନ୍ତି।

ଆଜିର ଶୁଣାଣି କାଳରେ ଶଶି ଥରୁରଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍‌ ବିକାଶ ପାହୱା ଅଦାଲତଙ୍କୁ ଅବଗତ କରାଇଥିଲେ ଯେ ବିଚାର ସମୟରେ ନିମ୍ନ ଅଦାଲତ ଏବଂ ଉଚ୍ଚ ନ୍ୟାୟାଳୟ ଦ୍ୱାରା ବିଭିନ୍ନ ନିର୍ଦ୍ଦେଶ ଦିଆଯାଇଥିଲା, ଯେଉଁଠାରେ ଏହି ମାମଲାର ରେକର୍ଡ କାହା ସହିତ ଅଂଶୀଦାର କରାଯିବା ଉଚିତ ନୁହେଁ। ତେବେ, ଅଦାଲତ ଏହାକୁ ଅଗ୍ରାହ୍ୟ କରି ଶଶି ଥରୁଙ୍କ ଉପରେ ନୋଟିସ ଜାରି କରିଥିଲେ। ଶଶି ଥରୁରଙ୍କୁ ଅଗଷ୍ଟ ୧୮, ୨୦୨୧ରେ ଦିଲ୍ଲୀର ଏକ ଅଦାଲତ ତାଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ଅପମୃତ୍ୟୁ ସହିତ ଜଡିତ ସମସ୍ତ ଅଭିଯୋଗରୁ ମୁକ୍ତ କରି ଦେଇଥିଲେ ।